ଆଦର୍ଶ ସହରର ଉପେକ୍ଷିତ ୩ନଂ. ୱାର୍ଡ:ନର୍ଦ୍ଦମା ପାଣି ରାସ୍ତାରେ

ଢେଙ୍କାନାଳ ଅଫିସ, ୨।୧୧

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଜାତୀୟସ୍ତରୀୟ ସରସମେଳା ଉଦ୍‌ଯାପନୀ ସମାରୋହରେ ସ୍ବଚ୍ଛତା ରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛି ପୌରସଂସ୍ଥା। ହେଲେ ୩ନଂ. ୱାର୍ଡ ଫିଶେରୀ ଟ୍ୟାଙ୍କ ଗଳିରୁ ଆଦର୍ଶ ସହରର ବାସ୍ତବ ଚିତ୍ର ପଦାରେ ପଡ଼ିଛି। ଫଳରେ ସ୍ବଚ୍ଛତା କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଅଞ୍ଚଳର ଡ୍ରେନ୍‌ ଆବର୍ଜନାରେ ଭର୍ତ୍ତି ହୋଇଛି। ପଚା ପାଣି ରାସ୍ତାରେ ପ୍ରବାହିତ ହେଉଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। ଏହାର ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ଅଞ୍ଚଳବାସୀ ରାସ୍ତାରେ ଚଳପ୍ରଚଳ କରିବାରେ ସମସ୍ୟା ଭୋଗୁଛନ୍ତି। ଲକ୍ଷ୍ମୀପୂଜା ଉତ୍ସବ ପୂର୍ବରୁ ଅଗଷ୍ଟ ୧୯ରେ ଅଞ୍ଚଳବାସୀ ଲିଖିତ ଭାବେ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ତଥାପି ଏହି ଓ୍ବାର୍ଡ ଉପେକ୍ଷିତ ହୋଇ ରହିଛି। ବର୍ଷା ଛାଡ଼ିଲେ, ପୂଜା ସରିଲେ କାମ ହେବ କହି ପୌରସଂସ୍ଥା କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। ଅଞ୍ଚଳବାସୀ ନିର୍ଦ୍ଧାରିତ ସମୟରେ ହୋଲଡିଂ ଟ୍ୟାକ୍ସ ପୈଠ କରୁଛନ୍ତି। ତଥାପି କାହିଁକି ସେମାନଙ୍କୁ ଉପେକ୍ଷିତ କରାଯାଉଛି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି। ସମସ୍ୟା ସମାଧାନ ନ ହେଲେ ପୁଞ୍ଜିଭୂତ ଅସନ୍ତୋଷ ଜନଆନ୍ଦୋଳନରେ ପରିଣତ ହେବ। ଏଥିପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଓ୍ବାର୍ଡବାସୀ କହିଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଯନ୍ତ୍ରୀ ରଶ୍ମିତା ମିଶ୍ର କୁହନ୍ତି, ଶୁକ୍ରବାର ସକାଳେ ଅଞ୍ଚଳ ପରିଦର୍ଶନ କରିଛୁ। ଶନିବାର ସୁଦ୍ଧା ନାଳ ସଫେଇ ସହ ଆବର୍ଜନା ଉଠାଯିବା ବ୍ୟବସ୍ଥା କରାଯିବ। ଖୁବ୍‌ଶୀଘ୍ର ଡ୍ରେନ୍‌ ନିର୍ମାଣ କରାଯିବ।

Share