Advertisement

ଆଦର୍ଶ ହୁଡ଼ିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ପଟ୍ଟାଙ୍ଗି,୨୦ା୯(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ଶିଶାଗୁଡ଼ା ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଶୁକ୍ରବାର ବିଡିଓ କରୁଣାକର ପ୍ରଧାନଙ୍କୁ ଦାବିପତ୍ର ଦେଇଛି। ୧୫ ଦିନ ମଧ୍ୟରେ ଦାବି ପୂରଣ କରା ନ ଗଲେ ଅଭିଭାବକମାନେ ପିଲାଙ୍କୁ ନେଇ ବିଦ୍ୟାଳୟ ଛାଡ଼ିବା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳରେ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଭଳି ପ୍ରତିଯୋଗିତାମୂଳକ ପରିବେଶ ଓ ସିବିଏସ୍‌ଇ ଢାଞ୍ଚାରେ ଶିକ୍ଷା ଯୋଗାଇଦେବା ପାଇଁ ପ୍ରତି ବ୍ଲକରେ ଆରମ୍ଭ ହୋଇଥିଲା ଆଦର୍ଶ ବିଦ୍ୟାଳୟ। କେନ୍ଦ୍ରୀୟ ବିଦ୍ୟାଳୟ ପରି ସବୁ ପ୍ରକାର ଆନୁସଙ୍ଗିକ ଶୈକ୍ଷିକ ଭିତ୍ତିଭୂମି ଏଠାରେ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ ଥିଲା। କିନ୍ତୁ ସେହି ଲକ୍ଷ୍ୟ ବାଟ ହୁଡ଼ିବା ପରେ ଗ୍ରାମାଞ୍ଚଳର ପିଲା ଓ ଅଭିଭାବକଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଛି। ୨୦୧୬ ଏପ୍ରିଲ ୫ରେ ସ୍ଥାପିତ ଏହି ବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ କି ହଷ୍ଟେଲ ସୁବିଧା ମଧ୍ୟ ହୋଇନାହିଁ। ଆଠ ମାସ ହେଲା ଇଂରାଜୀ ଶିକ୍ଷକ ପଦବୀ ଖାଲି ପଡ଼ିବା ସହ ସ୍ନାତକୋତ୍ତର ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ୨୧ଟି ଶିକ୍ଷକ ପଦବୀ ଥିବାବେଳେ ମାତ୍ର ୬ ଜଣ ରହିଛନ୍ତି। ଗଣିତ, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ହିନ୍ଦୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷକ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ଚୌଧୁରୀ, ବଳରାମ ବାରିକ, ଗୌତମ ପାଣ୍ଡେଙ୍କ ସମେତ ଶତାଧିକ ଅଭିଭାବକ କହିଛନ୍ତି। ସେମାନେ ବିଡ଼ିଓ ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଈଶ୍ୱର ବେହେରାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share