Categories: ଖେଳ

ଆଦିତ୍ୟ ଚାମ୍ପିୟନ, ସାର୍ଥକଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)-
କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୨ତମ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ କାଟେଗୋରି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୨୯୭ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଗୁଜରାଟର ଆଦିତ୍ୟ ପି. ମେଲାନି ଓ ପଶ୍ଚିମବଙ୍ଗର ଗୌରବ ଦାସ ୮.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛନ୍ତି। ଓଡ଼ିଶାର ସାର୍ଥକ ଦେବତା କାର୍ଜି ମନିନ୍ଦ୍ର(କିସ୍‌) ୮ ପଏଣ୍ଟ ଲେଫାଏ ହାସଲ କରି ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ୮ ପଏଣ୍ଟ ଲେଖାଏ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଆନ୍ଧ୍ର ପ୍ରଦେଶର ମଦୁରି ସତ୍ୟ ତେଜେଶ୍ୱର ଓ ପଶ୍ଚିମବଙ୍ଗର ଆକାଶ ତିଓ୍ବାରୀ। ୯ ଜଣ ଖେଳାଳି ୭.୫ ପଏଣ୍ଟ ଲେଖାଏ ପାଇଥିବାବେଳେ ୨୧ ଜଣ ୭ ପଏଣ୍ଟ ସହ ପ୍ରତିଯୋଗିତା ଶେଷ କରିଛନ୍ତି। ଆୟୋଜିତ ଉତ୍ସବରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଅଧ୍ୟକ୍ଷା ଡ. ମୋନାଲିସା ବଳ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ଯୁଗ୍ମ ସମ୍ପାଦକ ବିଭୂ ଭୂଷଣ ମିଶ୍ର, ଉପସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ଆର.ଅନନ୍ତରାମ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାର ‘ସି’ କାଟେଗୋରି (୧୬୦୦ ରେଟିଂରୁ କମ୍‌) ମଙ୍ଗଳବାରଠାରୁ ଆରମ୍ଭ ହେବ।
ଜିଏମ୍‌ ଫାରୁଖ ଅଗ୍ରଣୀ
ଚେସ୍‌ ଫେଷ୍ଟିଭାଲର ମୁଖ୍ୟ ତଥା କାଟେଗୋରି-ଏର ପ୍ରତିଯୋଗିତାର ୫ମ ରାଉଣ୍ଡ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ୫ ରାଉଣ୍ଡ ଶେଷସୁଦ୍ଧା ତାଜିକସ୍ତାନ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ଆମୋନାତୋଭ ଫାରୁଖ ୫ ପଏଣ୍ଟ ସହ ଏକକ ଅଗ୍ରଣୀ ହାସଲ କରିଛନ୍ତି। ଭେନେଜୁଏଲା ଜିଏମ୍‌ ଇତିରିଜଗା ବୋନେଲି, ରୁଷିଆ ଜିଏମ୍‌ ମାକ୍ସିମ ତୁରୋଭ, ୟୁକେନ ଜିଏମ ନେଭେରଭ ଭାଲେରି, ଚିଲି ଜିଏମ ଭାସ୍କ୍ବେଜ ସ୍କୋର୍ଡେର ରୋଡ୍ରିଗୋ ଏବଂ ଭାରତର (ତାମିଲନାଡ଼ୁ ଅନ୍ତର୍ଜାତୀୟ ମାଷ୍ଟର) ପି.ଶ୍ୟାମ ନିଖିଲ ୪.୫ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି। ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ରାଜେଶ ନାୟକ (୨୧୭୫ ରେଟିଂ) ଓ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ୫ମ ରାଉଣ୍ଡରେ ରାଜେଶ ଆର୍ମେନିଆ ଗ୍ରାଣ୍ଡମାଷ୍ଟର ତେର-ସାହାକ୍ୟାନ ସାମ୍‌ଭେଲ(୨୬୧୧)ଙ୍କ ସହ ମ୍ୟାଚ ଡ୍ର ରଖି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଦେବାଶିଷ ଅନ୍ୟତମ ଓଡ଼ିଆ ଖେଳାଳି ସମ୍ବିତ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି।

Share