ଆଦିବାସୀ ଚିତ୍ରକଳାର ସ୍ବାତନ୍ତ୍ର୍ୟ ରହିଛି

ସୋନପୁର,୧୯।୨(ନି.ପ୍ର.) – ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଆଦିବାସୀ ଚିତ୍ରଶିଳ୍ପୀ ଶିବିର ଓ କଳାକୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ତିନିଦିନ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉଦ୍‌ଯାପନୀ ଦିବସରେ ଲଳିତ କଳା ଏକାଡେମୀର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ଯୋଗଦାନ କରି ଆଦିବାସୀଙ୍କ ପାରମ୍ପରିକ ଚିତ୍ରକଳାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭା ଓ କଳାକୃତି ଚର୍ଚ୍ଚାରେ ଡ. ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଡ. ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଓଡିଶାରେ ଆଦିବାସୀ ଚିତ୍ରକଳାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହାକୁ ବ୍ୟାପକ କରିବା ପାଇଁ ଏକାଡେମୀ ପକ୍ଷରୁ ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଥିଲେ। ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ଆଦିବାସୀମାନଙ୍କ କାନ୍ଥ ଚିତ୍ର ଓ ପାରମ୍ପରିକ ଝୋଟି କେବଳ ଓଡିଶା କାହିଁକି ସମଗ୍ର ଦେଶରେ ସ୍ବତନ୍ତ୍ର ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ମନସ୍ବିନୀ ସାହୁ ଯୋଗଦେଇ ଆଦିବାସୀଙ୍କ କଳା କୃତିର ସ୍ବାତନ୍ତ୍ର୍ୟ ଉପରେ ଆଲୋକପାତ କରିଥିଲେ। ସଭାରେ ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଏକାଡେମୀର ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏଭଳି ଶିବିର ଆୟୋଜନ ଦ୍ୱାରା ଗ୍ରାମାଞ୍ଚଳରେ ଥିବା ଚିତ୍ରଶିଳ୍ପୀମାନେ ଉତ୍ସାହିତ ହେବେ ବୋଲି ମତପ୍ରକାଶ କରିଥିଲେ। ଐତିହାସିକ ସୁଦାମ ନାଏକ ଓ ଲୋକବାଦ୍ୟ ଗବେଷକ ଚୌଧୁରୀ ବିଭାର ଆଲୋଚକ ଭାବେ ଯୋଗଦେଇ ପାରମ୍ପରିକ କଳାକୃତି ଉପରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶିବିରରେ ଅଂଶଗ୍ରହଣ କରି ତାଲିମ ନେଇଥିବା ଜିଲାର ୧୫ଜଣ ଆଦିବାସୀ ଚିତ୍ରଶିଳ୍ପୀଙ୍କୁ ଅତିଥିଙ୍କ ଦ୍ୱାରା ୧୦ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେହିପରି ସମସ୍ତ ଶିବିରାର୍ଥୀଙ୍କୁ ମାନପତ୍ର ଦିଆଯାଇଥିଲା। ଏ. କେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟର ମୀନତି ମେହେରଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଲଳିତ କଳା ଏକାଡେମୀର କାର୍ଯ୍ୟକାରୀ ସଭ୍ୟ ଶ୍ୟାମସୁନ୍ଦର ମେହେର ପରିଚାଳନା କରିଥିଲେ। ଚିତ୍ରଶିଳ୍ପୀ ସରୋଜ ମହାପାତ୍ର ଓ ଅଧ୍ୟାପକ ସଞ୍ଜିବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share