ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତ ଫେରାର୍‌

ସୁନ୍ଦରଗଡ଼/ବାଲିଶଙ୍କରା, ୨୬।୪(ଡି.ଏନ୍‌.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଗୁରୁବାର ଏନେଇ ବନଡ଼େଗା ଫାଣ୍ଡିରେ ଅଭିଯୋଗ ହୋଇଛି। ଏତଲା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି। ଏହି ମାମଲାର ତଦନ୍ତ ଭାର ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି। ପୀଡିତା ନାବାଳିକା ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ସେ ତାଙ୍କ ମାମୁ ଘରୁ ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଅନ୍ୟ ଏକ ସମ୍ପ୍ରଦାୟର ୩ ଜଣ ଯୁବକ ବାଇକ୍‌ ଯୋଗେ ଆସି ସେମାନଙ୍କୁ ଅଟକାଇଥିଲେ। ଜଣେ ଯୁବକ ତାଙ୍କ ଭାଇକୁ ଅଟକାଇଥିବାବେଳେ ଅନ୍ୟ ୨ଯୁବକ ନାବାଳିକାକୁ ଟେକିନେଇ ଜଙ୍ଗଲ ମଧ୍ୟରେ ବଳାତ୍କାର କରିଥିଲେ। ପରେ ୩ ଯୁବକ ଫେରାର୍‌ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ସମ୍ପର୍କୀୟ ଭାଇଙ୍କ ସହିତ ଆସି ସକାଳେ ଫାଣ୍ଡିରେ ଅଭିଯୋଗ କରିଥିଲେ।