ଆଦିବାସୀ ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡବିଲ, ୨୨।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ଲୀଲାରାମ ସୂର୍ଯ୍ୟବଂଶୀ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି।
ବଲାଣୀ ଥାନା ଅଧୀନ ସେଲ କମ୍ପାନୀ କ୍ୱାର୍ଟର୍ସରେ ଲୀଲାରାମ ସୂର୍ଯ୍ୟବଂଶୀ ରୁହନ୍ତି। ବିଗତ ବର୍ଷରେ ଲୀଲାରାମ ସେଲ କମ୍ପାନୀର ସପ୍ଲାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ମାସ ହେବ କମ୍ପାନୀର ସ୍ଥାୟୀ କର୍ମଚାରୀ ଭାବେ ସେ ନିଯୁକ୍ତି ପାଇଛନ୍ତି। ତେବେ ଲୀଲାରାମ ଜଣେ ୧୧ ବର୍ଷିୟା ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଓ ଘଟଣା ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଶୁକ୍ରବାର ଅଭିଯୋଗ ହୋଇଛି। ବଲାଣୀ ପୋଲିସ ଥାନାରେ କେସ୍‌ (ନଂ. ୭/୨୧) ରୁଜୁ କରି ଦଫା ୩୭୬(ଏ)(ବି), ୫୦୬ ଏବଂ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଗତ ୧୬ ତାରିଖ ରାତିରେ ନାବାଳିକା ଜଣକ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ପାଇ ନ ଥିଲେ। ୧୭ ତାରିଖ ସକାଳେ ଲୀଲାରାମଙ୍କ ଘରୁ ନାବାଳିକା ଜଣକ ବାହାରୁଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକେ ନାବାଳିକାଙ୍କୁ ପଚରାଉଚୁରା କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ। ତେବେ ପରେ ନାବାଳିକା ଜଣକ ବଳାତ୍କାର ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇବା ସହ ଘଟଣା ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଅଭିଯୁକ୍ତ ଜଣକ ଧମକ ଦେଇଥିବା କହିଥିଲେ। ବଲାଣୀ ଥାନା ଇନ୍ସପେକ୍ଟର କୈଳାଶ ବେହେରା କହିଛନ୍ତି ଯେ, ଲୀଲାରାମଙ୍କ ଘରକୁ ନାବାଳିକା ଜଣକ ଦୈନିକ ଟିଭି ଦେଖିବାକୁ ଯାଉଥିଲେ। ଘଟଣା ଦିନ ମଧ୍ୟ ନାବାଳିକା ଜଣକ ଟିଭି ଦେଖିବାକୁ ଘରକୁ ଯାଇଥିଲେ। ତେବେ ନିଶାସକ୍ତ ଅବସ୍ଥାରେ ଲୀଲାରାମ ଏଭଳି କାଣ୍ଡ ଭିଆଇଥିଲେ।