Categories: ଜାତୀୟ

ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ ମଣ୍ଡଳ ନାବାଳିକା ଥିଲେ ଓ ତାଙ୍କର ବର୍ଷକର ସନ୍ତାନ ଥିବା କଥାକୁ ବିଚାରକୁ ନେଇ ଜଷ୍ଟିସ୍‌ ଏନ୍‌.ଭି. ରମନା, ଏଲ୍‌. ନାଗେଶ୍ୱର ରାଓ ଏବଂ ଭି. ରାମସୁବ୍ରମଣ୍ୟନ୍‌ଙ୍କ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି।
ଗଜପତି ଜିଲାରେ ୨୦୧୮ ସେପ୍ଟେମ୍ବର ୨୦ରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତା ଜନନୀ ତାଙ୍କ ସ୍ବାମୀଙ୍କ ସହ ମିଶି ସ୍ବାମୀଙ୍କ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଥିଲା। ତେବେ ଅପରାଧ ସମୟରେ ଜନନୀଙ୍କୁ ୧୭ ବର୍ଷ ହୋଇଥିଲା ଓ ସେତେବେଳେ ସେ ଗର୍ଭବତୀ ଥିଲେ ବୋଲି ତାଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ। ଏଥିସହିତ ଅଭିଯୁକ୍ତ ଦେଢ଼ବର୍ଷ ଜେଲ୍‌ କାଟିସାରିଥିବାରୁ ତଳକୋର୍ଟ ପୂର୍ବରୁ ଧାର୍ଯ୍ୟ କରିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଜାମିନରେ ଯାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ପୂର୍ବରୁ ଜନନୀ ମଣ୍ଡଳଙ୍କ ଜାମିନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଜବାବ ମାଗିଥିଲେ। ହାଇକୋର୍ଟଙ୍କ ରାୟ ଆଇନ ଓ ସତ୍ୟର ବିରୁଦ୍ଧାଚରଣ କରୁଛି ବୋଲି ଜନନୀଙ୍କ ଓକିଲ ଅନୁପ୍ରଧା ସିଂ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ।

Share