Advertisement

ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଆଦିବାସୀ ମେଳା ଏବେ ସାଜିଛି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ମେଳା ଦେଖିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ଭିଡ଼ ଜମାଉଛନ୍ତି ବିଦେଶୀ ପର୍ଯ୍ୟଟକମାନେ। ମେଳାର ଦ୍ୱାଦଶ ସନ୍ଧ୍ୟାରେ ପୋଲାଣ୍ଡ, ଆର୍ଜେଣ୍ଟିନା, ରୁଷିଆ, ଜାପାନ, ଇଣ୍ଡୋନେସିଆ ଭଳି ବିଭିନ୍ନ ଦେଶରୁ ଅନୂ୍ୟନ ୬୦ ବିଦେଶୀ ପର୍ଯ୍ୟଟକ ମେଳା ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଜାତୀୟ ଜନଜାତି ଖାଦ୍ୟ ଷ୍ଟଲ୍‌ରେ ଖାଇବା ସହ ଏମାନେ ପ୍ରଶଂସା ମଧ୍ୟ କରିଛନ୍ତି। ଉକ୍ତ ସନ୍ଧ୍ୟାରେ ପ୍ରାୟ ୬୫ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥିବାବେଳେ ୪୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ଦର୍ଶକମାନେ ମେଳା ପରିସରରେ ଜାତୀୟ ଜନଜାତି ଖାଦ୍ୟ ଷ୍ଟଲ୍‌ରେ ଉପଲବ୍ଧ ସୁସ୍ବାଦୁ ଖାଦ୍ୟର ମଜାନେବା ସହିତ ଜନଜାତି ପ୍ରଦର୍ଶନୀ ମଣ୍ଡପରେ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତିକୁ ସିଧାସଳଖ ଦେଖିବାର ସୁଯୋଗ ପାଇଥିଲେ। ସେହିଭଳି କରଞ୍ଜିଆର ବା’ ପରବ ନୃତ୍ୟ, ଗୋନାସିକାର ପିଲାଙ୍କ ନୃତ୍ୟ, ଫୁଲବାଣୀର ସିଂହ ନୃତ୍ୟ, ରାୟଗଡ଼ାର ଛାତ୍ରୀଛାତ୍ରଙ୍କ ନୃତ୍ୟ, ଆଇଟିଡିଏ ସୁନ୍ଦରଗଡ଼ର ଆଦିବାସୀ ନୃତ୍ୟ, ବିର୍ସାମୁଣ୍ଡା ସାଂସ୍କୃତିକ ପରିଷଦର ପିଲାଙ୍କ ନୃତ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଆଦିବାସୀ ପିଲାଙ୍କ ପାରମ୍ପରିକ ସାନ୍ତାଳୀ ନୃତ୍ୟ ମେଳାର ସାଂସ୍କୃତିକ ସନ୍ଧ୍ୟାକୁ ବେଶ୍‌ ଆକର୍ଷଣୀୟ କରିଥିଲା। ଏହାବ୍ୟତୀତ ମେଳାକୁ ଆସିଥିବା ଦର୍ଶକମାନେ ଆଦିବାସୀ ହାଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ଖରିଦ କରିଥିଲେ। କୋହଲା ପାଗ ସତ୍ତ୍ୱେ ମେଳାକୁ ଏତେ ସଂଖ୍ୟାରେ ଦର୍ଶକ ଆସିବା ଓ ଭଲ ବ୍ୟବସାୟ ହେବା ବେଶ୍‌ ଉଲ୍ଲେଖନୀୟ ବୋଲି ମେଳା ଦାୟିତ୍ୱରେ ଥିବା ରାଜ୍ୟ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share