ଆଦିବାସୀ ସଂସ୍କୃତିର ନିଆରା ଝଲକ ‘ଚଇତି ବଡ଼ାମ ପୂଜା’

ଔପଦା, ୧୭।୩(ଡି.ଏନ.ଏ.)-ଚଇତି ବଡାମ ପୂଜା ଲାଗି ବାଲେଶ୍ୱର ଜିଲା ଔପଦା ବ୍ଲକର ଆଦିବାସୀ ଅଧ୍ୟ୍ୟୁଷିତ ଗଡ଼ସାହି ଗ୍ରାମ ଉତ୍ସବମୁଖର ହୋଇପଡିଛି। ଏହି ଗ୍ରାମରେ ପାରମ୍ପରିକ ଭାବେ ଗତ ୧୪ ଅପରାହ୍ନରେ ବନଦେବତାଙ୍କୁ ପୂଜା କରାଯାଇ ବଡ଼ାମଙ୍କ ପାଇଁ ଶାଳଗଛର ଡାଳ ଛେଦନ କରି ଶୋଭାଯାତ୍ରାରେ ଚାଙ୍ଗୁ ଓ ମାଦଳ ବାଦ୍ୟର ତାଳେ ତାଳେ ଗାଁ ଆସ୍ଥାନ ମଣ୍ଡପକୁ ଅଣାଯାଇଥିଲା। ପୂଜକ ଦେହୁରି ନଟବର ଗିରି, ଦାସୀ ନରେନ୍ଦ୍ର ବାରିକ, ଶ୍ରୀଧର କୁଅଁର, ଲାଲମୋହନ କୁଅଁର ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ। ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୧୬ ତାରିଖ ରାତିରେ ଉଦ୍‌ଯାପିତ ହେବ।
ଶ୍ରୀକୃଷ୍ଣ ତଥା ଶ୍ରୀଜଗନ୍ନାଥଙ୍କୁ ଆଦିବାସୀମାନେ ବଡ଼ାମ ଦେବତା ରୂପେ ପୂଜା କରନ୍ତି। ବଡ଼ାମ ପୂଜା ପାଇଁ ପୀଠସ୍ଥଳରେ ଗଁା ସମେତ ପଞ୍ଚାୟତର ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ବନ୍ଧୁବାନ୍ଧବଙ୍କ ଆଗମନରେ ପରିବେଶ ଚଳଚଞ୍ଚଳ ହୋଇଉଠେ। ସନ୍ଧ୍ୟା ସମୟରୁ ଆରମ୍ଭ ହେଉଥିବା ସାଂସ୍କୃତିକ ଉତ୍ସବ ସାରାରାତି ଚାଲୁଥିଲା। ପାରମ୍ପରିକ, ଚାଙ୍ଗୁ, ମାଦଲ, ଘଣ୍ଟା ଆଦି ଆଦିବାସୀ ବାଦ୍ୟର ତାଳେ ତାଳେ ଦଳ ଦଳ ହୋଇ ଆଦିବାସୀ ଯୁବତୀ ଯୁବକମାନେ ବଡ଼ାମ ଦେବତାଙ୍କ ପୀଠ ଆସ୍ଥାନ ସମ୍ମୁଖରେ ନିଆରା ନୃତ୍ୟ ପରିବେଷଣ କରିଥିଲେ। ‘ଓଡ଼ିଶା ଦେଶରେ ଜଗନ୍ନାଥ, ଝାଡ଼ ବଣ ମୂଲକରେ ବଡ଼ାମ’ ଆଦିବାସୀ ଭଜନ ସଙ୍ଗୀତ ବାଦ୍ୟନୃତ୍ୟ ପରିବେଷଣ ଆଦିବାସୀ ସଂସ୍କୃତିର ନିଆରା ଝଲକ ପ୍ରଦାନ କରିଥିଲା। ଉତ୍ସବର ସକଳ ଆୟୋଜନ ପାଇଁ ଗ୍ରାମ କମିଟି ସଦସ୍ୟ ଦୁର୍ଯ୍ୟୋଧନ ଖେଜୁରିଆ, ପୁରସ୍ତମ ବାରିକ, ରାମ ଚନ୍ଦ୍ର ଦଳେଇ, ଚନ୍ଦ୍ରମଣି ପାତ୍ର, ଜୟନ୍ତ ସେନାପତି, ଦୀନବନ୍ଧୁ ବିଶ୍ୱାଳ, ପ୍ରଫୁଲ୍ଲ ଦଳେଇ, ଶ୍ରୀଧର ମଢ଼େଇ, ଶତ୍ରୁଘ୍ନ ପାତ୍ର, ମାଧବ ଗିରି, ବନମାଳୀ ବଢ଼େଇ, ସରସ୍ବତୀ ସେନାପତି, ନିନି ବୁଢ଼ିଗାୟାଁ, ଜିରା ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Share