ଆଦିବାସୀ ହଷ୍ଟେଲକୁ ଆଇଏସ୍‌ଓ ମାନ୍ୟତା : ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦୁଝର (ସ୍ବପ୍ର/ଡି.ଏନ୍‌.ଏ.)୧୨।୬: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବ ସମ୍ବଳ ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ। କ୍ବାଲିଟି କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆ ସହାୟତାରେ, ଏସ୍‌ଟିଏସ୍‌ସି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ସମସ୍ତ ହଷ୍ଟେଲର ବ୍ୟାପକ ଆକଳନ ଓ ମୂଲ୍ୟାୟନ କରାଯାଇଛି। ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ହଷ୍ଟେଲଗୁଡ଼ିକର ଗୁଣାତ୍ମକମାନର ଉନ୍ନତୀକରଣ କରାଯାଇଛି। ଆଦିବାସୀ ହଷ୍ଟେଲଗୁଡ଼ିକ ଆଇଏସ୍‌ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ।
ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁର ଜିଲାର ସମସ୍ତ ହଷ୍ଟେଲର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା। କେନ୍ଦୁଝରର ୧୫୬ ହଷ୍ଟେଲ ମଧ୍ୟରୁ ୬୦ ଓ ସମ୍ବଲପୁରର ୯୦ ହଷ୍ଟେଲ ମଧ୍ୟରୁ ୧୨ଟିକୁ ମନୋନୀତ କରାଯାଇଥିଲା। ତିନିମାସ ମଧ୍ୟରେ କ୍ବାଲିଟି ମାନ୍ୟତା ପାଇବା ଭଳି ହଷ୍ଟେଲଗୁଡ଼ିକୁ ଯୋଗ୍ୟ କରିବା ନିମନ୍ତେ ଦୁଇ ଜିଲାର ଜିଲାସ୍ତରୀୟ ଟିମ୍‌ କଠିନ ପରିଶ୍ରମ କରିଥଲେ। ଗତ ମାର୍ଚ୍ଚରେ ହଷ୍ଟେଲଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ଅଡିଟ୍‌ ଟିମ୍‌ କେନ୍ଦୁଝର ଜିଲାର ୩୨ ଏବଂ ସମ୍ବଲପୁରର ୧୨ ହଷ୍ଟେଲ ପରିଦର୍ଶନ କରିଥିଲେ। ସମସ୍ତ ହଷ୍ଟେଲ ଆସେସ୍‌ମେଣ୍ଟ ପାରାମିଟର କ୍ବାଲିଫାଏ କରିଥିଲେ ଏବଂ ଭାରତୀୟ ମାନକ ସଂସ୍ଥା ଦ୍ବାରା ଆଇଏସ୍‌ଓ ମାନ୍ୟତା ପାଇଥିଲେ। ଲକ୍‌ଡାଉନ୍‌ ଓ କୋଭିଡ୍‌ ପରେ ଅବଶିଷ୍ଟ ୨୮ ହଷ୍ଟେଲ ମାନର ମୂଲ୍ୟାୟନ କରାଯିବ।

Share