Categories: ଜାତୀୟ

ଆଧାର ଆଇନରେ ସଂଶୋଧନ ବିରୋଧରେ ପିଟିଶନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଆଧାର ଆଇନରେ ସଂଶୋଧନର ବୈଧତାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପରିଚୟ ପ୍ରମାଣ ଲାଗି ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯୋଗାଇଦେଉଥିବା ଆଧାର ତଥ୍ୟ ବ୍ୟବହାର ଲାଗି ଘରୋଇ ସଂସ୍ଥାଗୁଡିକୁ ଅନୁମତି ଦେବା ନିମନ୍ତେ କେନ୍ଦ୍ର ସରକାର ଆଇନରେ ସଂଶୋଧନ କରିଥିଲେ। ଏହି ସଂଶୋଧନର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏନେଇ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଏବଂ ବିଚାରପତି ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ଏସ୍‌.ଜି. ଭୋମ୍ବାତ୍‌କେରେ ଦାଏର କରିଥିବା ପିଟିଶନରେ ଦର୍ଶାଇଥିଲେ, ଆଧାର ଆଇନରେ କରାଯାଇଥିବା ସଂଶୋଧନ ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ରାୟର ଉଲ୍ଲଂଘନ କରୁଛି। ପୂର୍ବରୁ ୫ ଜଣିଆ ସାମ୍ବିଧାନିକ ପୀଠ ଆଧାର ଆଇନର ବୈଧତାକୁ କାଏମ ରଖିବା ସହ ଘରୋଇ ସଂସ୍ଥାଙ୍କୁ ଆଧାର ତଥ୍ୟ ବ୍ୟବହାର ଲାଗି ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ପରେ ସରକାର ଆଧାର ଆଇନରେ ସଂଶୋଧନ ଆଣି ଏହାକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ମୋବାଇଲ ଫୋନ ସଂଯୋଗ ପାଇବା ପାଇଁ ବ୍ୟବହାର ନିମନ୍ତେ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯କୁ କେତେକ ବିପକ୍ଷ ଦଳ ବିରୋଧ କରିବା ସତ୍ତ୍ୱେ ଗତ ଜୁଲାଇରେ ରାଜ୍ୟ ସଭାରେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା। ଏହି ବିଲ୍‌କୁ ଲୋକ ସଭା ଜୁଲାଇ ୪ରେ ଅନୁମୋଦନ କରିଥିଲା।

Share