ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ନାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ। ଜଙ୍ଗଲ ଆଖପାଖରେ ରହୁଥିବା ଲୋକମାନେ ମା’ଙ୍କ ପାଖକୁ ଗଲାବେଳେ ବନ ବିଭାଗ ଯାଞ୍ଚର ସମ୍ମୁଖୀନ ହୁଅନ୍ତି। ଆଧାରକାର୍ଡ କିମ୍ବା ଏହାର ଫଟୋକପି ନ ଦେଖାଇଲେ ସେମାନଙ୍କୁ ଜଙ୍ଗଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏନାହିଁ। ଲୋକମାନେ ଜଙ୍ଗଲର ଗୋଟିଏ ପାଖରେ ରହୁଥିବାବେଳେ ମା’ ହୁଲିୟମ୍ମା ବେଟାଙ୍କ ମନ୍ଦିର ଜଙ୍ଗଲ ଆର ପାଖରେ ରହିଛି। ଏଣୁ ସ୍ଥାନୀୟ ଲୋକମାନେ ସେଠାକୁ ଯିବା ପାଇଁ କମ୍‌ ଦୂରତାର ଜଙ୍ଗଲିଆ ରାସ୍ତା ଜାଣିଛନ୍ତି । ବିଭିନ୍ନ ଅଞ୍ଚଳରୁ ମା’ଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ସାଥିରେ ବନ ବିଭାଗର କର୍ମଚାରୀ ବି ଯାଆନ୍ତି। ଜଙ୍ଗଲରେ ବାଘ ଆକ୍ରମଣର ଆଶଙ୍କା ରହିଥିବାରୁ ଲୋକମାନଙ୍କ ଉପରେ ବନବିଭାଗ କର୍ମଚାରୀମାନେ ସତର୍କ ଦୃଷ୍ଟି ରଖିଥାନ୍ତି। ଲୋକମାନେ ମଙ୍ଗଳବାର ଓ ଶୁକ୍ରବାର ମା’ଙ୍କୁ ଦର୍ଶନ କରିବା ପାଇଁ ଦିନରାତି ଚାଲିଥାନ୍ତି। ସେଠାରେ ମା’ଙ୍କୁ ମାଂସ ଭୋଗ ଲଗାଇବାର ବିଧି ରହିଛି। ଲୋକମାନେ ମା’ଙ୍କୁ ପୂଜା କରିବା ସହ ଛେଳି, ମେଣ୍ଡା ଓ କୁକୁଡା ବଳି ଦେବା ପରେ ତାହାକୁ ଜଙ୍ଗଲରେ ଫିଙ୍ଗି ଦିଅନ୍ତି । ବାଘ ତାହାକୁ ଖାଇବା ପାଇଁ ଆସି ଲୋକଙ୍କୁ ଆକ୍ରମଣ କରନ୍ତି। ଏହି କରଣରୁ ମା’ଙ୍କ ଦର୍ଶନ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

Share