ଆଧାର ଦେଇଛି ଦୁଃଖ

ରାଇସୁଆଁ,୨୯।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ସଲରାପେଣ୍ଠ ଗ୍ରାମର ମା’ ବାପା ଛେଉଣ୍ଡ ୧୧ ବର୍ଷର ଝିଅ ସୀମା । ଜନ୍ମ ପରେ ତାଙ୍କ ମା’ କେଉଁ ଆଡେ ଚାଲିଯାଇଥିବା ବେଳେ ରୋଗରେ ପଡି ବାପା କେବେଠାରୁ ଆରପାରିକୁ ଚାଲି ଗଲେଣି। ଜେଜେବାପା ବହୁ କଷ୍ଟରେ ସୀମାଙ୍କୁ ଲାଳନପାଳନ କରିଆସୁଥିଲେ । ସେ ମଧ୍ୟ ୨ ବର୍ଷ ହେଲା ସୀମାଙ୍କୁ ଏକଟୁଆ ଛାଡି ଆରପାରିକୁ ଚାଲି ଗଲେ। ଏଭଳି ସ୍ଥିତିରେ ୫ମ ଶ୍ରେଣୀରୁ ପାଠପଢା ଛାଡି ସୀମା ଅସହାୟ ଅବସ୍ଥାରେ ଦିନ ବିତାଉଥିଲେ ବି ତାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡି ନାହିଁ। ଆଗରୁ ରାଶନ କାଡର୍ର୍ରେ ତାଙ୍କୁ ୫ କିଲୋ ଚାଉଳ ମିଳୁଥିଲା । ଏବେ ଆଧାର ଆଣି ଦେଇଛି ଦୁଃଖ। ଆଧାର କାର୍ଡ ନ ଥିବାରୁ ଏହାକୁ ରାର୍ସନକାର୍ଡ ସହ ସଂଯୋଗ କରାଇ ନ ପାରିବାରୁ ତାଙ୍କୁ ଆଉ ୨ ମାସ ଚାଉଳ ମିଳୁନି। ଆଧାର ସଂଯୋଗ କାର୍ଯ୍ୟକ୍ରମରେ ଥିବା ବ୍ୟବସ୍ଥାଗତ ତ୍ରୁଟି ସୁଧାରିବା ଏବଂ ସୀମାଙ୍କ ଭଳି ଅସହାୟଙ୍କ ସକାଶେ ଫଟୋ ଉଠାଇ ଆଧାର କାର୍ଡ ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ନିରାଶ ହୋଇଥିବା କହିଛନ୍ତି। ଚାଉଳ ମିଳିବା ବନ୍ଦ ହେବା ପରେ ସୀମା ଭୋକ ଉପାସରେ ରହି ଏବେ ଗାଁମାଖ ଜଙ୍ଗଲକୁ ଭରଷା କରି ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି। ସେ ଦୈନନ୍ଦିନ ଜଙ୍ଗଲରୁ ଜଳକାଠ ସଂଗ୍ରହ କରି ତାହାକୁ ବିକି ପେଟ ପୋଷୁଥିବା ଗ୍ରାମବାସୀ କହଛନ୍ତି। ଏ ସମ୍ପର୍କରେ ମହାଦେଇଯୋଡା ପଞ୍ଚାୟତର ସରପଞ୍ଚ ଜବାଶ୍ୱରୀ ମାଝୀଙ୍କୁ ପଚାରିବାରୁ ସେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ଚାଉଳ ଯୋଗାଇଦେବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି।