Categories: ଜାତୀୟ

ଆଧାର-ରାଶନ କାର୍ଡ ଲିଙ୍କ୍‌: କ୍ଷୁଧାମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୦।୧୨(ଆଇଏଏନ୍‌ଏସ୍‌):ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ଅଭିଯୋଗ ସମାଧାନ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟକୁ ନୋଟିସ ଜାରି କରିଛନ୍ତି। କାହାକୁ ଭୋକିଲା ରଖାଯିବା କେହି ଚାହାନ୍ତି ନାହିଁ ବୋଲି ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ବିକାଶ ସତ୍ତ୍ୱେ କ୍ଷୁଧା ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ଯଦି ଆଧାର ବ୍ୟବସ୍ଥା ନ ଥାନ୍ତା ତେବେ ଅନ୍ୟ ସମର୍ଥତ୍ତ ଦସ୍ତାବିଜ୍‌ରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ମିଳିପାରନ୍ତା ବୋଲି ଖଣ୍ଡପୀଠ କହିଥିଲେ। ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ, ଆଧାର ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଆଧାର ନ ଥିବା ଲୋକଙ୍କୁ ଖାଦ୍ୟଶସ୍ୟ ମିଳୁ ନ ଥିବା ପିପୁଲ୍ସ ୟୁନିୟନ ଫର୍‌ ସିଭିଲ୍‌ ଲିବର୍ଟି (ପିୟୁସିଏଲ୍‌) ପକ୍ଷରୁ ବରିଷ୍ଠ ଆଇନଜୀବୀ କୋଲିନ ଗନ୍‌ସାଲଭେସ୍‌ ଅଭିଯୋଗ କରିଥିଲେ। ଏହା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସର ବିରୋଧୀ ବୋଲି ସେ କହିଥିଲେ। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କ ଯୁକ୍ତିକୁ ଖଣ୍ଡନ କରିଥବାବେଳେ ଏହା ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ବୋଲି ପ୍ରଧାନ ବିଚାରପତି କହିଥିଲେ। ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଆଇନର ଧାରା ୧୪ ଓ ୧୬ ଅଧୀନରେ ରାଜ୍ୟଗୁଡିକ କ’ଣ ପଦକ୍ଷେପ ନେଇଛନ୍ତି ଅଦାଲତଙ୍କୁ ଜଣାଇବା ପାଇଁ ଖଣ୍ଡପୀଠ ନୋଟିସ ଜାରି କରିଥିଲେ। ଝାଡ଼ଖଣ୍ଡରେ କ୍ଷୁଧା ମୃତ୍ୟୁକୁ ନେଇ ଜୁନ୍‌ରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ତଦନ୍ତରୁ ଏହା କ୍ଷୁଧା ମୃତ୍ୟୁ ନୁହେଁ ବୋଲି ଜଣାପଡିଥିବା ମେହେଟ୍ଟା କୋର୍ଟଙ୍କୁ କହିଥିଲେ। ଖଣ୍ଡପୀଠ ରାଜ୍ୟଗୁଡିକର ଉତ୍ତର ଚାହିଁବା ସହ ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ କରିବାକୁ କହିଥିଲେ।

Share