‘ଆଧୁନିକ ଗଳ୍ପରେ ଜନଜୀବନ, ଯନ୍ତ୍ରଣାର ସ୍ବର’

ସୋନପୁର,୨୩।୧(ନି.ପ୍ର.) ଗଳ୍ପ ସାହିତ୍ୟ ସମାଜରେ ସୁଧାର ଆଣେ। ସତ୍ୟ ଘଟଣା ଉପରେ ଗାଳ୍ପିକଙ୍କ ରୁଚିସମ୍ପନ୍ନ ଲେଖା ବିପ୍ଳବ ସୃଷ୍ଟି କରେ। ସାମ୍ପ୍ରତିକ ଜନଜୀବନର ଯନ୍ତ୍ରଣାର ସ୍ବର ଆଧୁନିକ ଗଳ୍ପରେ ପରିପ୍ରକାଶ ହେଉଛି। ଆଧୁନିକ ଓଡିଆ, କୋସଲି ଗଳ୍ପରେ ନିଷ୍ପେସିତ, ଖଟିଖିଆ, ସରଳ ବନବାସୀଙ୍କ ଜନଜୀବନ ଓ ଯନ୍ତ୍ରଣାର ସ୍ବର ଭରି ରହିଛି। ଏଭଳି ଲେଖା ବୌଦ୍ଧିକ ପରିସରରେ ନିଶ୍ଚୟ ଅପୂରଣୀୟ ରହିବ ବୋଲି ଯୁବ ଗାଳ୍ପିକମାନେ ମତପ୍ରକାଶ କରିଛନ୍ତି। ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ବୁଧବାର ଷଷ୍ଠ ସନ୍ଧ୍ୟାରେ ଗପ ପସରା ଶୀର୍ଷକ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଗାଳ୍ପିକ ରାଜୀବ ସଗରିଆ ସ୍ବରଚିତ କୋସଲି ଗଳ୍ପ ତପ୍ତକୁରୁ ରଏବରିର ପେଟପୁରୁ ପାଠ କରିଥିଲେ। ସେହିପରି ଗାଳ୍ପିକ ଭୀମ ପୃଷ୍ଟି ଫର୍ଦେ କାଗଜ, ଆଦିତେଶ୍ୱର ମିଶ୍ର କାଗଜ ଡଙ୍ଗାରେ ସମୁଦ୍ର ପରିଭ୍ରମଣ, ଡ. ଅଜୟ ସ୍ବାଇଁଙ୍କ ରଙ୍ଗୀନ ଟିଭିରେ କଳାଧଳା ଗାଁର ଚିତ୍ର ଓ ପ୍ରକାଶ ମହାପାତ୍ର ସ୍ବରଚିତ ଗଳ୍ପ ଠେଙ୍ଗୁଆ ପାଠ କରିଥିଲେ। ଏହା ଉପସ୍ଥିତ ଶ୍ରୋତାଙ୍କୁ ପ୍ରେରଣା ପ୍ରଦାନ କରିଥିଲା। ପରେ ପୃଷ୍ଟି, ଡ. ସ୍ବାଇଁ ଓ ପ୍ରକାଶ ମହାପାତ୍ର ଆଲୋଚକଭାବେ ଯୋଗଦେଇ ଗପର ସମୀକ୍ଷା କରିବା ସହ ପାଠକ ଲେଖକ, ଗାଳ୍ପିକଙ୍କ ପାଇଁ ଉତ୍ସାହର କେନ୍ଦ୍ରବିନ୍ଦୁ। ସେମାନଙ୍କ ଭଲପାଇବା ଓ ଆଗ୍ରହ ଗାଳ୍ପିକଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ। ଡ. ଜ୍ୟୋତି ରଞ୍ଜନ ବହିଦାର ଆସରରେ ଅଧ୍ୟକ୍ଷତା କରି ସାରସ୍ବତ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Share