ଆନନ୍ଦପୁରରେ ଖୋଲିଲାନି ଧାନମଣ୍ଡି: କୋହଲା ପାଗ ଦେଖି ଚାଷୀ ମନରେ ଛନକା

ଘସିପୁରା, ୯।୧୨ (ଡି.ଏନ.ଏ.)-କେନ୍ଦୁଝରର ଭାତ ହାଣ୍ଡି ଭାବେ ପରିଚିତ ଆନନ୍ଦପୁର କୃଷି ଜିଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ ଫସଲ ଅମଳ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ଅଧିକାଂଶ ଚାଷୀ ମାନେ ବିଲରୁ ଧାନ ଆଣି ଖଳାରେ ବହୁଦିନ ହେବ ସାଇତି ରଖିଛନ୍ତି। କେବେ ମଣ୍ଡି ଖୋଲିବ, ଆଉ ସେମାନେ ନିଜ ନିଜର ଉତ୍ପାଦିତ ଫସଲକୁ ସରକାରଙ୍କୁ ବିକ୍ରି କରିବେ ସେହି ଅପେକ୍ଷାରେ ଚାଷୀକୂଳ ଦିନ କାଟୁଥିବା ବେଳେ ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ପରିବର୍ତ୍ତନ ହେଉଥିବା ପାଗ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ଶନିବାର ଓ ରବିବାର ପାଗ ସାମାନ୍ୟ କୋହଲା ହେବାରୁ ସାଇତି ରଖିଥିବା ଅମଳ ଫସଲକୁ ନେଇ ସତେ ଯେପରି ଚାଷୀ ମନରେ ଛନକା ପଶିଛି। ଅପରପକ୍ଷେ କେତେକ ସଚେତନ ଚାଷୀ ମଣ୍ଡି ଖୋଲି ନ ଥିବା ସମସ୍ୟା ସମ୍ପର୍କରେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ଯଥାଶୀଘ୍ର ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ମିଳିଥିବା ସୂଚନାନୁଯାୟୀ, ଚଳିତ ଖରିଫ ଋତୁରେ ଆନନ୍ଦପୁର କୃଷି ଜିଲାର ପ୍ରାୟ ୩୮ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଛି। ଏଥିମଧ୍ୟରୁ ହାଟଡିହୀ ବ୍ଲକର ୧୮ ହଜାର ହେକ୍ଟର, ଘସିପୁରା ବ୍ଲକର ୧୧ହଜାର ହେକ୍ଟର ଓ ଆନନ୍ଦପୁର ବ୍ଲକର ୯ହଜାର ହେକ୍ଟର ଚାଷଜମି ରହିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏଥିମଧ୍ୟରୁ ୬୦ପ୍ରତିଶତରୁ ଅଧିକ ଚାଷଜମିର ଅମଳ ଫସଲକୁ ଚାଷୀ ବିଲରୁ କାଟି ନେଇଛନ୍ତି। ଚାଷୀମାନେ ଅମଳ ଫସଲକୁ ସାଧାରଣତଃ ବାଡ଼ି ଖଳାରେ ସାଇତି ରଖିଛନ୍ତି। ଚଳିତ ଖରଫ ଋତୁ ପାଇଁ ସମଗ୍ର ଜିଲାରେ ୮୦ରୁ ଅଧିକ ଧାନମଣ୍ଡି ଖୋଲା ଯାଇ ଚାଷୀଙ୍କଠାରୁ ଧାନ କିଣିବାକୁ ମିଷ୍ପତ୍ତି ହୋଇଛି। କିନ୍ତୁ ଅଦ୍ୟାବଧି ସରକାରଙ୍କ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀ ମାନେ ଚିନ୍ତାରେ ଦିନ କାଟୁଛନ୍ତି। ଗତ ଦୁଇ ଦିନ ହେବ ପାଗ କୋହଲା ହେଉଥିବାରୁ ବର୍ଷା ଆଶଙ୍କାରେ ଚାଷୀଙ୍କ ମନରେ ଛନକା ପଶିଛି। ବର୍ଷାଭଳି ପରିସ୍ଥିତି ସୃଷ୍ଟି ହେଲେ ବ୍ୟାପକ ଅମଳ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଥିବା ଚାଷୀ ମାନେ କହିଛନ୍ତି। ମଣ୍ଡି ନ ଖୋଲିବା ସମସ୍ୟା ସମ୍ପର୍କରେ ଭୋଳନୁଆଗାଁର ସଚେତନ ଚାଷୀ ଜୟନ୍ତ କୁମାର ମିଶ୍ର ଟ୍ବିଟ ଯୋଗେ ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମନ୍ତ୍ରୀ ସ୍ବାଇଁ ତୁରନ୍ତ ମଣ୍ଡିଖୋଲିବା ନେଇ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।