ଆନନ୍ଦପୁର ଉତ୍ସବମୁଖର : ପୂଜା ପାଉଛନ୍ତି ବିଘ୍ନ ବିନାଶକ

ଆନନ୍ଦପୁର,୨।୯(ସ୍ବ.ପ୍ର.) : ବିଘ୍ନ ବିନାଶକ ଗଣପତିଙ୍କ ପୂଜାର୍ଚ୍ଚନା ପାଇଁ କେନ୍ଦୁଝର ଜିଲାର ଆନନ୍ଦପୁର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବରେ ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଗଣିପତିଙ୍କ ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ବେଶ୍‌ ଆକର୍ଷିତ କରିଛି। ସକାଳୁ ଛାତ୍ରୀଛାତ୍ର ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଳୟରେ ଗଣପତିଙ୍କୁ ପୂଜା କରିଛନ୍ତି। ଆନନ୍ଦପୁର ବଡ଼ଦାଣ୍ଡଠାରେ ଜଗନ୍ନାଥ କ୍ଲବ ପକ୍ଷରୁ ସଭାପତି ବିଜୟ କୁମାର ପାଢୀଙ୍କ ସଂଯୋଜନାରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ବଜାରସାହିରେ ତ୍ରିଶକ୍ତି କ୍ଲବ, କଲେଜ ସମ୍ମୁଖ ଫ୍ରେଣ୍ଡସ କ୍ଲବ୍‌, ଫକୀରପୁର ମେଡିକାଲ ଛକରେ ବୁଢ଼ା ଗଣେଶଙ୍କ ପୂଜା ଧୂମ୍‌ଧାମରେ ପାଳିତ ହେଉଛି। ଆନନ୍ଦପୁର ମହାବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀନିବାସ, କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ, ରେକୁଟିଆ, ପତିତ ପାବନ ମହାବିଦ୍ୟାଳୟ ସାଇଁକୁଳ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନନ୍ଦପୁର, ପ୍ରାଣବଲ୍ଳଭ ପବ୍ଲିକ ସ୍କୁଲ,ଗୋହିରା, ସୁଡୁସୁଡିଆ ବାଇପାସ୍‌ ଛକ, ସେହିପରି ଘସିପୁରାସ୍ଥିତ କନକ ମଞ୍ଜରୀ ବାଲ ଶିକ୍ଷା ସଂସ୍ଥାନ, ଝାଡ଼େଶ୍ୱର ହାଇସ୍କୁଲ,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି।