ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌ ପହଞ୍ଚିବା ପରେ ଉପଖଣ୍ଡ ଡାକ୍ତରଖାନା ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମ୍‌ର ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ଏକ ମାସ ହେବ ଉପଖଣ୍ଡ ଡାକ୍ତରଖାନାକୁ କର୍ତ୍ତୃପକ୍ଷ ନୁଆ ରୂପରେ ସଜାଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ନାୟକଙ୍କ ନେତୃତ୍ୱରେ ଟିବିଏଚ୍‌ଆଇବି କୋର୍ଡିନେଟର ଡା. ବିକାଶ ପଟ୍ଟନାୟକ, ୟୁନିସେଫ କନସଲଟାଣ୍ଟ ହୀରାଲାଲ ନାୟକ, କାୟାକଳ୍ପ ଜିଲା ମୁଖ୍ୟ ଅଭିଷେକ ଷଡ଼ଙ୍ଗୀ, ଜିଲା ଟୀକା ପରିଚାଳକ ଗୋବିନ୍ଦ ମିଶ୍ର ପ୍ରମୁଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରଥମେ ଟିମ୍‌ର ସଦସ୍ୟମାନେ ଉପଖଣ୍ଡ ଡାକ୍ତରଖାନା ପରିସର, ରୋଷେଇ ଗୃହ, ଆବର୍ଜନା ନଷ୍ଟ ପାଇଁ ଉଦ୍ଧିଷ୍ଟ ବିଏମ୍‌ଡବ୍ଲ୍ୟୁ ଗୃହ, ପୁରୁଷ ଓ ମହିଳାଙ୍କ ଓ୍ବାର୍ଡ, ଲାବରୋଟାରୀ, ରକ୍ତ ଭଣ୍ଡାର ଆଦି ପରିଦର୍ଶନ କରି ସ୍ବଚ୍ଛତା ସମ୍ପର୍କରେ ଟିକିନିକି ପରଖିବା ସହ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଏହି ଟିମ ସ୍ବତନ୍ତ୍ର ମାତୃଶିଶୁ ଡାକ୍ତରଖାନାକୁ ଯାଇ ସେଠାରେ ପ୍ରସୂତୀଙ୍କ ଚିକିତ୍ସାରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯାଉଛି କି ନାହିଁ ତାହା ଯାଞ୍ଚ କରିଥିଲେ। ଏହାର ରିପୋର୍ଟ ରାଜ୍ୟସ୍ତରରେ ତର୍ଜମା କରାଯିବା ପରେ ଉପରେ ଉପଖଣ୍ଡ ଡାକ୍ତରଖାନାକୁ କାୟାକଳ୍ପର ସ୍ବତନ୍ତ୍ର ମାନ୍ୟତା ମିଳିବ କି ନାହିଁ ତାହା ସ୍ପଷ୍ଟ ହେବ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଧନେଶ୍ୱର ସେଠୀ ଉକ୍ତ ଟିମକୁ ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିଲେ।