ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଳାବିତ ହେବ ୬୦ ହଜାର ହେକ୍ଟର ଚାଷ ଜମି

ଆନନ୍ଦପୁର, ୩୧।୧(ସ୍ବ.ପ୍ର.)-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତକରି ବହୁ ପ୍ରତିକ୍ଷୀତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆନନ୍ଦପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାପିଠର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମରେ ମୁ୍ଯଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ଆନନ୍ଦପୁର ଷ୍ଟାଡିୟମ୍‌ ଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ହେଲିକ୍ୟାପଟର ଯୋଗେ ଆସି ଦିନ ୧୧.୪୫ ରେ ବି.ଏନ୍‌.ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ ୧୧.୫୫ ରେ ନିକଟରେ ଥିବା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ବ୍ୟାରେଜ ଉପରେ କିଛି ସମୟ ଏକାକୀ ବୁଲିବା ପରେ ମଧ୍ୟାହ୍ନ ୧୨ଟାରେ ବି.ଏନ୍‌. ହାଇସ୍କୁଲ ପ୍ଲାଟିନମ୍‌ ଜୁବୁଲୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ପରେ ୧୨.୪୫ରେ ଆନନ୍ଦପୁର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେଇଥିଲେ।

୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ବ୍ୟାରେଜ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯାଇ ବୈତରଣୀ ବାମପାର୍ଶ୍ୱ, ଡାହାଣପାର୍ଶ୍ୱ, ସାଳନ୍ଦୀ ବାମପାର୍ଶ୍ୱ କେନାଲ ଯୋଗେ କେନ୍ଦୁଝର ଓ ବାଲେଶ୍ୱର ଜିଲାର ୬୦ ହଜାର ହେକ୍ଟର ଚାଷ ଜମି ଜଳ ପ୍ଳାବିତ ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦୁଝର ଜିଲାର ଘସିପୁରା, ହାଟଡିହୀ, ଆନନ୍ଦପୁର, ବାଲେଶ୍ୱର ଜିଲାର ଖଇରା, ଔପଦା, ସୋର, ବାହାନଗା, ନିଳଗିରି, ରେମୁଣା, ବାଲେଶ୍ୱର ଆଦି ଅଞ୍ଚଳର ଚାଷୀମାନେ ବେଶ ଉପକୃତ ହେବାର ଲକ୍ଷ ରଖାଯାଇଛି। ୪୭୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବ୍ୟାରେଜର ୩୫୦ ଲକ୍ଷ ଘନ ମିଟର ଜଳ ଧାରଣର କ୍ଷମତା ରହିଛି। ଏଥିରେ ୩୩ ଗୋଟି ଗେଟର ବ୍ୟବସ୍ଥା ରହିଥିବାବେଳେ ୮ ଗୋଟି ସୁଇସ୍‌ ଗେଟ୍‌ ଦ୍ୱାରା ଜଳ ବଣ୍ଟନର ସୁବିଧା କରାଯାଇଛି।

Share