ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ: ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ସାମୂହିକ ଭାବେ ହଟିଲା

ଆନନ୍ଦପୁର,୫।୧୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାବିଦ୍ୟାଳୟରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ସମୂହ ଶ୍ରେଣୀଗୃହ ବର୍ଜନ କରିବା ସହିତ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଦେଇଥିଲେ। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ସୀମା ପରିସରରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଗୋଟିଏ ସପ୍ତାହ ସମୟ ମାଗିବା ପରେ ସାମୂହିକ ଭାବେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଥିବା ଡେଭଲପମେଂଟ ଫି’ ଦୂରୁପଯୋଗ, ପାନୀୟ ଜଳ, ଶ୍ରେଣୀ ଗୃହରେ ପଙ୍ଖା, ଭଲ ଚେୟାର ଟେବୁଲ, କଲେଜ ପରିସରରେ ରହିଥିବା ଅସ୍ବାସ୍ଥ୍ୟକର ପରିବେଶ, କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥା, କଲେଜରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା, କଲେଜ ପରିସରରେ ଛାତ୍ରୀଛାତରଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ଆଦି ସମସ୍ୟା ନେଇ ଗତ ୨୧ ତାରିଖରେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ହେଲେ ଏହା ଉପରେ କୌଣସି ଧ୍ୟାନ ନ ଦିଆଯିବାରୁ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ବୈଠକ ଡକାଯାଇଥିଲା। ବୈଠକର ନିଷ୍ପତ୍ତି ମୁତାବକ ଅଧ୍ୟକ୍ଷ ଦାଶଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶୃତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରା ନ ଗଲେ ଛାତ୍ରୀଛାତ୍ରମାନେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।