ଆନୁଷ୍ଠାନିକ ଅବକ୍ଷୟ ରୋକିବା ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୫ା୮:  ବ୍ୟକ୍ତିର ଉପଲବ୍ଧିକୁ ତାର ସାମାଜିକ ଅବଦାନ ଦୃଷ୍ଟିରୁ ବିଚାର କରାଯିବା ଉଚିତ୍‌। ଏହି ଦୃଷ୍ଟିରୁ ବିଚାର କଲେ ପୂର୍ବତନ ସାଂସଦ ଜନସେବୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଆମେ ସଫଳ ବ୍ୟକ୍ତିଜୀବନ କହିପାରିବା ବୋଲି ଅତିଥିମାନେ ତାଙ୍କର ୧୦୩ ତମ ଜୟନ୍ତୀ ସମାରୋହ ଅବସରରେ ମତପ୍ରକାଶ କରିଛନ୍ତି। କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟି ଓ ଜିଲା ସାମ୍ବାଦିକ ସଂଘ ମିଳିତ ଆୟୋଜନରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ କୃଷ୍ଣଚନ୍ଦ୍ର ପଣ୍ଡା ଜୟନ୍ତୀ ସମାରୋହରେ ସ୍ମୃତି କମିଟି ସଭାପତି ଭାଗବତ ପ୍ରସାଦ ନନ୍ଦ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲାପାଳ ପରୀକ୍ଷିତ ସେଠୀ, ସମ୍ମାନିତ ଅତିଥି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅବସରପ୍ରାପ୍ତ ଡିଜିଏମ୍‌ ଶଶାଙ୍କ ଶେଖର ପୁରୋହିତ ଓ ମୁଖ୍ୟବକ୍ତାଭାବେ ପ୍ରସାର ଭାରତୀର ଅବସରପ୍ରାପ୍ତ ଡିଜି ଅଭୟ କୁମାର ପାଢ଼ୀ ଯୋଗଦାନ କରିଥିଲେ। ସଭାରେ ସ୍ମୃତି କମିଟି ଆବାହକ ଲଳିତ କୁମାର ନାୟକ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅରବିନ୍ଦ ଦାସ ସଭା ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ପାଠୀ ଆନୁଷ୍ଠାନିକ ଅବୟକ୍ଷ କିଭଳି ଆମ ସାମାଜିକ ଜୀବନକୁ ବିପନ୍ନ କରୁଛି କହିଥିଲେ। ଜନସେବର ସ୍ବର୍ଗତ ପଣ୍ଡା ତାଙ୍କ ଜୀବନ କାଳରେ ସମର୍ପିତ ହୋଇ ଅନ୍ୟ ସମଧର୍ମାଙ୍କ ସହ ମିଶି ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଆମ ସମାଜକୁ ସମର୍ଥ କରିବାର ଚେଷ୍ଟା କରିଥିଲେ। ସେମାନଙ୍କ ଅବଦାନରୁ ଆମ ସମାଜ ସଙ୍ଗଠିକ ହୋଇପାରିଥିଲା। ଆଜି ସେହି ଅନୁଷ୍ଠାନଗୁଡିକ ଅବକ୍ଷୟମୁଖୀ ହୋଇପଡିଛି ଓ ଏହାର ପ୍ରତିଫଳନରୁ ହିଁ ସାମାଜିକ ଅବକ୍ଷୟ ମଧ୍ୟ ଦେଖାଯାଉଛି। ଏଭଳି ସମୟରେ ଆମର ପ୍ରମୁଖ ଅନୁଷ୍ଠାନ ଗୁଡିକର ଅବକ୍ଷୟମୁଖୀ ଧାରାକୁ ରୋକିବା ହିଁ ସ୍ବର୍ଗତ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। ଅନ୍ୟ ଅତିଥିମାନେ ସ୍ବର୍ଗତ ପଣ୍ଡାଙ୍କ ରାଜନୈତିକ ଜୀବନ ଓ ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ। ସଭାପୀୟ ଅଭିଭାଷଣରେ ସଭାପତି ନନ୍ଦ ସ୍ବର୍ଗତ ପଣ୍ଡାଙ୍କ ଉତ୍ସର୍ଗୀକୃତ ମନୋଭାବରୁ ଆଜିର ଯୁବ ସମାଜ ଉଦ୍‌ବୁଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ।