Categories: ମେଟ୍ରୋ

ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗର ଆଉ ୪ ଗିରଫ: ୬ କାର, ୬ ମୋବାଇଲ ଜବତ

କଟକ ଅଫିସ,୫।୭- ବମ୍ଫକୁଦ କାର ଲୁଟ୍‌ ଘଟଣାର ତଦନ୍ତ କରି କଟକ ସଦର ପୋଲିସ ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗ୍‌ର ଆଉ ୪ ଜଣ ସଦସ୍ୟଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ହାଉଡା ଜିଲାର ଶ୍ରୀକାନ୍ତ ଶର୍ମା ଓରଫ୍‌ ଗୁଡୁ, ଉତ୍ତରପ୍ରଦେଶ ପ୍ରତାପଗଡ ଜିଲାର ୱାରିସ୍‌ ଅଲ୍ଲୀ ଖାନ୍‌, ମହମ୍ମଦ ମୋକିମ୍‌ ଓରଫ ଚାଚା, ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳର ଶଶାଙ୍କ ଶେଖର ପତି। ସେମାନଙ୍କ ଠାରୁ ପୋଲିସ ୬ଟି କାର(ଓଡି୩୩ଏଫ୍‌-୩୪୯୯), (ଓଡି୩୪ଏ-୧୬୦୩), (ଓଡି୦୨ଏସି-୪୦୮୮), (ଓଡି୦୫ୟୁ-୯୦୦୦), (ଓଆର୧୭କେ- ୧୭୧୭), (ଓଡି୦୫ଏଫ୍‌-୨୯୮୫) ଓ ୬ଟି ମୋବାଇଲ ଜବତ କରିଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ କଟକ ସଦର ଥାନାରେ ଗୋଟିଏ, ଭୁବନେଶ୍ୱର ଶହୀଦନଗର ଥାନାରେ ତିନୋଟି, ମଞ୍ଚେଶ୍ୱର ଥାନାରେ ଦୁଇଟି ଏବଂ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ଲୁଟ୍‌ ମାମଲା ଥିବା ପୋଲିସ ସୂଚନା ଦେଇଛି।
ପୋଲିସ ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଅଞ୍ଚଳରେ ରହୁଥିବା ସୁବାସ ଚନ୍ଦ୍ର ବେହେରା ଗତ ୨୮ ତାରିଖ ରାତିରେ ଭୁବନେଶ୍ୱରରେ କାମ ସାରି କାରରେ ନିଜ ଘରକୁ ଫେରୁଥିଲେ। ବମ୍ଫକୁଦ ପାଖରେ ହୋଇଥିବା ବେଳେ ୭ ଜଣ ଅଭିଯୁକ୍ତ ଅନ୍ୟ ଏକ କାରରେ ତାଙ୍କୁ ପିଛା କରିଥିଲେ। କିଛି ବାଟ ଯିବାପରେ ସୁବାସଙ୍କ କାର ଆଗରେ ସେମାନଙ୍କ କାର ରଖିଦେଇଥିଲେ। ପରେ ଅଭିଯୁକ୍ତମାନେ ସୁବାସଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ କାର ସହ ମୋବାଇଲ ଏବଂ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସୁବାସ ଅଭିଯୋଗ କରିବା ପରେ କଟକ ସଦର ପୋଲିସ ଏକ ମାମଲା(ନଂ.୨୮୨/୧୯) ରୁଜୁ କରିଥିଲା। ଏହି ମାମଲାର ତଦନ୍ତ କରି ପୋଲିସ ଗତ ୧ ତାରିଖରେ ବାଲେଶ୍ୱରରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ ଜବତ କରିଥିଲା। ପଚରାଉଚରା ପରେ ସେମାନେ ଏହି କାର ସହ ଆହୁରି ଅନେକ କାର ଲୁଟ୍‌ ଏବଂ ଚୋରି କରିଥିବା ପୋଲିସ ସମ୍ମୁଖରେ ମାନିଥିଲେ। ଏଥିସହିତ ଗ୍ୟାଙ୍ଗ୍‌ ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୋଲିସ ବାଲେଶ୍ୱର ଏବଂ କଟକରୁ ଶୁକ୍ରବାର ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାରଗୁଡିକ ଜବତ କରିଥିଲା। ବିଶେଷକରି ୧୬ନଂ. ଜାତୀୟ ରାଜପଥରେ ଅଭିଯୁକ୍ତମାନେ ଲୋକଙ୍କୁ ଟାର୍ଗେଟ କରୁଥିଲେ। କାର ଲୁଟ୍‌ କିମ୍ବା ଚୋରି କରିବା ପରେ ବାଲେଶ୍ୱର ନେଇଯାଉଥିଲେ। ସେଠାରୁ କଲିକତା ଯାଇ କାରଗୁଡିକୁ ବିକ୍ରି କରୁଥିଲେ। ଚୋରି କରିବାବେଳେ ସେମାନେ ପ୍ଲାସ, ଲୁହାରଡ, ନକଲି ଚାବି ସହାଯ୍ୟରେ କାରକୁ ଖୋଲୁଥିଲେ। ପରେ ସୁଇଚ୍‌ ମେଶିନ୍‌ ଦ୍ୱାରା କାରକୁ ଷ୍ଟାଟ କରୁଥିଲେ। ଏହାପରେ କାରକୁ ନେଇ କଲିକତାରେ ବିକ୍ରି କରୁଥିବା ସେମାନେ ମାନିଥିଲେ।

Share