Categories: ଖେଳ

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ ମ୍ୟାଚ ଡ୍ର ରହିଥିବାବେଳେ ଅନ୍ୟ ମ୍ୟାଚରେ ବିଜେଇଏମ ସ୍କୁଲ ବିଜୟୀ ହୋଇଛି। ପ୍ରଥମ ମ୍ୟାଚଟି ମଦର୍ସ ପବ୍ଲିକ ସ୍କୁଲ ଏବଂ ଡିଏଭି ଚନ୍ଦ୍ରଶେଖରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷପୂର୍ଣ୍ଣଭାବେ ଶେଷ ହୋଇଥିବା ମ୍ୟାଚରେ ଉଭୟ ଦଳ କେତେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଲକ୍ଷ୍ୟହୀନ ଶଟ୍‌ ଯୋଗୁ କୌଣସି ଗୋଲ ହୋଇପାରି ନ ଥିଲା। ଫଳରେ ମ୍ୟାଚଟି ଗୋଲଶୂନ୍ୟ ଡ୍ର ରହିଥିଲା। ଅନ୍ୟପକ୍ଷରେ ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ଦ୍ୱିତୀୟ ମ୍ୟାଚରେ ବିଜେଇଏମ ୫-୦ ଗୋଲରେ ଟାଇମ୍ସ ଗୁରୁକୁଳକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ପ୍ରଥମାର୍ଦ୍ଧର ୨ୟ, ୬ଷ୍ଠ ଓ ୧୦ମ ମିନିଟରେ ଯଥାକ୍ରମେ ସୌମେଶ ମହାନ୍ତି, ଜାଫିଲ ଅବଦୁଲା ଓ ସ୍ମୃତି ସ୍ବାଗତ ନାୟକ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧର ୫ମ ଓ ୬ଷ୍ଠ ମିନିଟରେ ସ୍ମୃତି ସ୍ବାଗତ ଏବଂ ସୌମେଶ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ପ୍ରଥମ ମ୍ୟାଚରେ ୬ ନମ୍ବର ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ମଲିକ ଅତିଥିଭାବେ ଯୋଗଦେଇ ଡିଏଭି ଚନ୍ଦ୍ରଶେଖରପୁରର ଅଙ୍କୁର ମଲିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚରେ କିସ୍‌ର କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଅତିଥିଭାବେ ଯୋଗଦେଇ ବିଜେଇଏମ ସ୍କୁଲର ସ୍ବାଗତ ନାୟକଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ ଦ୍ୱୟକୁ ସରୋଜ ମହାରଣା, ଶେଖାଓ୍ବତ ଖାଁ, ଦିବ୍ୟଜ୍ୟୋତି ସିଂ, ଚନ୍ଦ୍ରକାନ୍ତ ବାରିକ, ଦୁର୍ଗା ଆଚାର୍ଯ୍ୟ, ଅମିତ ନାୟକ, ରାଜେନ୍ଦ୍ର ବାରିକ ଓ ଟି. ମୋହନ ରାଓ ପରିଚାଳନା କରିଥିଲେ।

Share