ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ। ତାଙ୍କ ଅନୁସାରେ- ଅହିଂସା ସେହି ମୁଖ୍ୟ ତତ୍ତ୍ୱ ଯାହା ପୂରା ମାନବଜାତି ମଧ୍ୟରେ ପ୍ରେମ ଓ ଆତ୍ମଶୁଦ୍ଧି ଆଣି କଠିନରୁ କଠିନତମ ସଙ୍କଟରେ ବି ସଫଳତା ପାଇବାର ସନ୍ଦେଶ ଦେଇଥାଏ। ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନେଲ୍ସନ ମଣ୍ଡେଲା ଓ ମାର୍ଟିନ ଲୁଥର କିଙ୍ଗ ମଧ୍ୟ ଅହିଂସା ମାର୍ଗକୁ ଆଦରି ନେଇଥିଲେ। ଗାନ୍ଧିଜୀଙ୍କ ସମ୍ମାନାର୍ଥେ ୨୦୦୭ ଜୁନ୍ ୧୫ ରେ ଜାତିସଂଘ ସାଧାରଣ ପରିଷଦରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨କୁୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଥିଲ। ପରିଷଦର ସମସ୍ତ ସଦସ୍ୟ ଏହି ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ। ଜାତିସଂଘର ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହି ଦିବସ ପାଳନ କରାଯାଉଛି।
ଅହିଂସା ହିନ୍ଦୁ, ବୌଦ୍ଧ ଓ ଅନ୍ୟ ଧର୍ମର ମାନବୀୟ କାର୍ଯ୍ୟର ଆଧାର। ଅହିଂସାର ଶିକ୍ଷା ଭାରତୀୟ ସଂସ୍କୃତିର ପରିଚୟ। ଉପନିଷଦରେ ବି ଅହିଂସାର ବିଶେଷ ମହତ୍ତ୍ୱ ରହିଛି। ଜୈନ ଧର୍ମରେ ଅହିଂସା ପରମଧର୍ମ ବୋଲି କୁହାଯାଇଛି। କିନ୍ତୁ ଯେଉଁଭଳି ଅହିଂସାକୁ ଗାନ୍ଧିଜୀ ଆଗକୁ ବଢାଇଛନ୍ତି ଓ ତାହାକୁ ଜନମାନସର ବିଚାରଧାରା ମାଧ୍ୟମରେ ପ୍ରତିଫଳିତ କରିଛନ୍ତି ତାହା ବିଶ୍ୱକୁ ଏକ ଭିନ୍ନ ପଥ ଦେଖାଇଛି। ଗାନ୍ଧିଜୀ ଅହିଂସା ଶବ୍ଦକୁ ଏହାର ବ୍ୟାପକତାର ଆଧାରରେ ଏକ ସିଦ୍ଧାନ୍ତ ରୂପରେ ସ୍ବଷ୍ଟ କରିଛନ୍ତି। ଗାନ୍ଧିଜୀଙ୍କର ସମ୍ପୂର୍ଣ୍ଣ ଦର୍ଶନ ଅହିଂସା ସ୍ତମ୍ଭ ଉପରେ ରହିଛି। କାୟ, ମନ ଓ ବାକ୍ୟରେ ଯେଉଁମାନେ ଶକ୍ତିଶାଳୀ ସେମାନେ ହିଁ ଏହି ମାର୍ଗରେ ଚାଲିପାରିବେ। ଗାନ୍ଧିଜୀ ଅହିଂସାକୁ ସର୍ବୋଚ୍ଚ ନୈତିକ ଓ ଆଧ୍ୟାତ୍ସିକ ଶକ୍ତିର ପ୍ରତୀକ ବୋଲି ମାନିଛନ୍ତି। ଅହିଂସା କେବଳ ଏକ ଦର୍ଶନ ନୁହେଁ ବରଂ ଏହା କାର୍ଯ୍ୟ କରିବାର ଏକ ପଦ୍ଧତି। ଏହା ବି ହୃଦୟ ପରିବର୍ତ୍ତନର ଏକ ସାଧନ। ଗାନ୍ଧିଜୀ ଅହିଂସାର ଭାବନାକୁ ସାମାଜିକ, ଧର୍ମିକ, ଆର୍ଥତ୍କ ନୀତି କ୍ଷେତ୍ରରେ ଏକ ଆବଶ୍ୟକ ତତ୍ତ୍ୱ ବୋଲି କହିଛନ୍ତି। ସତ୍ୟ ସର୍ବୋଚ୍ଚ ନୀତି ଓ ଅହିଂସା ପରମ କର୍ତ୍ତବ୍ୟ ବୋଲି ଗାନ୍ଧିଜୀ କହିଛନ୍ତି। ଅହିଂସାର ଶକ୍ତି ଅସୀମ ଯାହାକୁ ସାଧାରଣ ଭାଷାରେ ବୁଝି ହୋବନାହିଁ। ଅହିଂସାର ଶକ୍ତି ଓ ଗାନ୍ଧିଜୀଙ୍କ ଉପରେ ୟୁରୋପିଆନ ଲେଖକ ରୋମେନ ରୋନାଲ୍ଡ ମଧ୍ୟ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଗାନ୍ଧିଜୀଙ୍କୁ ଆଗାମୀ ପିଢି ପାଇଁ ପଥ ପ୍ରଦର୍ଶକ ବୋଲି କହିଥିଲେ।
ସତ୍ୟ, ପବିତ୍ରତା, ନିର୍ଭୀକତା, ଦୃଢତା, ଅପରିଗ୍ରହ,ପ୍ରେମ ଓ ଉପବାସ ଦ୍ୱାରା ଅହିଂସା ଆଚରଣ କରିବା ଉପରେ ଗାନ୍ଦିଜୀ ଗୁରୁତ୍ୱ ଦେଇଛନ୍ତି। ଅନ୍ୟାୟ ଅତ୍ୟାଚାର ମୁକାବିଲା ଅହିଂସା ଦ୍ୱାରା ହିଁ ସମ୍ଭବ ବୋଲି ତାଙ୍କର ବିଶ୍ୱାସ ଥିଲା। ଅହିଂସା ଏକ ଉପଦେଶ ନୁହେଁ, ଏହା ଜୀବନର କ୍ରିୟାତ୍ମକ ସିଦ୍ଧାନ୍ତ। ବିଶ୍ୱଶାନ୍ତି, ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତିଗତ ଜୀବନ ଲାଗି ଏହା ଏକ ବହ୍ମାସ୍ତ୍ର। ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ଉପଲବ୍ଧି କରିହେଉଛି ଓ ଆବଶ୍ୟକତା ମଧ୍ୟ ରହିଛି। ଅହିଂସାର ବାସ୍ତବିକ ଅର୍ଥ କୃତାର୍ଥ କରିବା ଅର୍ଥ ଦେଶ ପ୍ରେମ ପ୍ରଦର୍ଶନ କରିବା।