ଆନ୍ତର୍ଜାତିକ ଗ୍ରୀନ୍‌ ୱାକାଥନ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ପ୍ରେରଣା ଓ ସ୍ମାଇଲ୍‌ ପ୍ଲିଜ୍‌ର ମିଳିତ ସହଯୋଗରେ ଆସନ୍ତା ୧୧ ତାରିଖରେ ଖୋର୍ଦ୍ଧା ଜିଲା ରାମେଶ୍ୱରଠାରେ ଆନ୍ତର୍ଜାତିକ ଗ୍ରୀନ୍‌ ୱାକାଥନ ଅନୁଷ୍ଠିତ ହେବ। ଏହି ୱାକାଥନର ଲୋଗୋ ମଙ୍ଗଳବାର ଉନ୍ମୋଚିତ ହୋଇଛି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉନ୍ମୋଚନ କରି କହିଲେ, ଆମର ସ୍ଥିତି ବୃକ୍ଷ ଉପରେ ନିର୍ଭରଶୀଳ। ବୃକ୍ଷକୁ ନେଇ ଆମର ସଂସ୍କୃତି, ପରମ୍ପରା ଓ ଅଧ୍ୟାତ୍ମ ଦର୍ଶନ ତିଷ୍ଠି ରହିଛି। ବ୍ୟାପକ ବୃକ୍ଷରୋପଣ ଓ ତା’ର ଯତ୍ନ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ ପରାମର୍ଶ ଦେଇଛନ୍ତି।
ପ୍ରେରଣା ଅଧ୍ୟକ୍ଷ ଦିଲୀପ ଶ୍ରୀଚନ୍ଦନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ, ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ତଥା ଉତ୍ତାପ ବୃଦ୍ଧିଜନିତ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତେଣୁ ବ୍ୟାପକ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ତଥା ସୁସ୍ଥ ପରିବେଶ ସୁସ୍ଥ ଜୀବନ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଏହି ୱାକାଥନ ଆୟୋଜନ କରାଯାଇଛି। ଏଥିରେ ଦେଶ, ବିଦେଶ ତଥା ରାଜ୍ୟରୁ ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗଦେବେ। ଜନପ୍ରତିନିଧି, ସାହିତି୍ୟକ, ସାମାଜିକ କର୍ମୀ, ଅଭିନେତ୍ରୀ-ଅଭିନେତା, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ ପ୍ରମୁଖ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ। ଏହି ଲୋଗୋ ଉନ୍ମୋଚନ ଉତ୍ସବରେ ଓଡ଼ିଶା ବୀର ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଧ୍ୟାପିକା ଅନୁପମା ଚମ୍ପତିରାୟ, ଅଭିନେତା ସବ୍ୟସାଚୀ ମିଶ୍ର, ସ୍ମାଇଲ ପ୍ଲିଜ୍‌ ସମ୍ପାଦକ ରୁଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share