Categories: ଫୁରସତ

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପାର୍ବତ୍ୟାଞ୍ଚଳ ପ୍ରତି ସମସ୍ତଙ୍କର ଦାୟିତ୍ୱ ସମ୍ପର୍କରେ ଏହି ଦିବସରେ ସଚେତନ କରାଯାଇଥାଏ।
ପୃଥିବୀର ପାଖାପାଖି ୨୨ ପ୍ରତିଶତରେ ପାହାଡ଼ ରହିଛି ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୩ ପ୍ରତିଶତରୁ ଊର୍ଦ୍ଧ୍ୱ ବା ୯୧୫ ମିଲିୟନରୁ ଅଧିକ ଲୋକ ବାସ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୯୯୨ରେ ଜାତିସଂଘ ଏହା ଉପରେ ଗୁରୁତ୍ୱ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲା। ଏହି ପ୍ରସ୍ତାବ କ୍ରମେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନଙ୍କ ବିକାଶ ଓ ସୁରକ୍ଷା ଉପରେ ଧ୍ୟାନ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ଆଗକୁ ବଢାଇବା ଲାଗି ୨୦୦୩ରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଉଛି। ପୃଥିବୀର ଅଧିକାଂଶ ନଦୀ ଓ ଝରଣା ପାହାଡ଼ରୁ ବାହାରିଛି। କୃଷିର ବିକାଶ ତଥା ପାନୀୟଜଳ ଯୋଗାଇବାରେ ପାହାଡର ଭୂମିକା ରହିଛି। କିନ୍ତୁ ଦୁଃଖର କଥା ଏବେ ବିକାଶ ନାଁରେ ପାହାଡ଼କୁ ଧ୍ୱଂସ କରାଯାଉଛି। ମୁଖ୍ୟତଃ ବିକାଶଶୀଳ ଦେଶଗୁଡିକରେ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ପାହାଡ ଧ୍ୱଂସ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡୁଛି। ଏବେ ବୃଦ୍ଧି ପାଉଥିବା ଅନାହାର,ପ୍ରଦୂଷଣ ଓ ପାନୀୟ ଜଳ ଅଭାବର ସମ୍ବନ୍ଧ କେଉଁଠି ନା କେଉଁଠି ପାହାଡ ସହ ରହିଛି। ପାହାଡ଼ରୁ ଶକ୍ତି ଓ ଖାଦ୍ୟ ବି ମିଳୁଛି। ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତି କ୍ଷେତ୍ରରେ ପାହାଡ଼ର ଗୁରୁତ୍ୱ ରହିଆସିଛି। ଅନ୍ୟ ପକ୍ଷରେ ମାନବକୃତ ପ୍ରଦୂଷଣ ଓ ବିଶ୍ୱତାପନ ବୃଦ୍ଧିର ପ୍ରଭାବ ପାହାଡ ଉପରେ ପଡୁଛିି। ଯାହାର ପ୍ରମାଣ ହେଉଛି ମେରୁ ଅଞ୍ଚଳର ବରଫ ପାହାଡ଼ ଓ ହିମାଳୟ। ଏଣୁ ବିଶ୍ୱତାପନ ହ୍ରାସ କରି ପାହାଡର ସୁରକ୍ଷା କରାଯାଇପାରିବ। ପାହାଡ଼ର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ପରିବେଶ ସୁରକ୍ଷିତ ରହିବ ଓ ଜୀବନ ରକ୍ଷା ମଧ୍ୟ ହୋଇପାରିବ । ପାହାଡର ସୁରକ୍ଷା ଲାଗି ଯୁବପିଢି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମାଉଣ୍ଟେନ୍ସ ମ୍ୟାଟର ଫର୍‌ ୟୁଥ’।

Share