Categories: ଗଞ୍ଜାମ

ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ ମଧ୍ୟରେ ରୋଷେଇ କରି ଖାଇବା ପ୍ରସ୍ତୁତ କରୁଥିବାବେଳେ ଉକ୍ତଦିନ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ପରିବା ମାର୍କେଟକୁ ଯାଇ ବ୍ୟବସାୟୀମାନଙ୍କୁ ଧକ୍କା ମାରିବା ସହ ରୋଷେଇ ପ୍ରସ୍ତୁତି ଚାଲିଥିବା ହଣ୍ଡାକୁ ଫିଙ୍ଗି ଗାଳିଗୁଲଜ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଏପରି କାର୍ଯ୍ୟ କରି ତହସିଲଦାର ମାନବିକତାର ଉଲଂଘନ କରିଛନ୍ତି । ଧକ୍କା ମାରିବା, ଜିନିଷ ଫିଙ୍ଗିବା ଲାଗି ତହସିଲଦାରଙ୍କୁ କିଏ ନିର୍ଦ୍ଦେଶ ଦେଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ତହସିଲଦାରଙ୍କ ପୈତୃକ ଗ୍ରାମ ପୁରୁଷୋତ୍ତମପୁର ସହରରେ ହୋଇଥିବାରୁ କିଛି ରାଜନୈତିକ ବ୍ୟକ୍ତିଙ୍କ ସହ ସାଲିସ ହୋଇ ଏଠାରେ ଦବଙ୍ଗଗିରି ଚଳାଇଥିବାର ଅଭିଯୋଗ ହେଉଛି । ଏହି ଘଟଣା ପ୍ରତି ଗଞ୍ଜାମ ଜିଲାପାଳ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ସରକାର ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସାୟୀଙ୍କ ସମେତ ବିଭିନ୍ନ ମହଲରୁ ଦାବି ହୋଇଛି। ଏନେଇ ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ କାହାରିକୁ ଧକ୍କା ମାରିନାହାନ୍ତି, ଗାଳିଗୁଲଜ କରିନାହାନ୍ତି କିମ୍ବା କୌଣସି ଜିନିଷ ଫିଙ୍ଗି ନାହାନ୍ତି ବୋଲି କହିଛନ୍ତି।