ଆନ୍ଦୋଳନରୁ ଓହରିଲେ ପାଚିକା ସହାୟିକା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ):୧୩ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ପାଚିକା ସହାୟିକା ଶେଷରେ ଧାରଣାରୁ ଉଠିଛନ୍ତି। ଦେଢ଼ମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ପାଚିକା ସହାୟିକା ମଜଦୁର ସଂଘ ଆନ୍ଦୋଳନରୁ ଓହରିଛି। ସୋମବାର ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ପାଚିକା ସହାୟିକା ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ପୁଷ୍ପା ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସିଆଇଟିୟୁର କୋଷାଧ୍ୟକ୍ଷ ଦୁଷ୍ମନ୍ତ ଦାସ, ସାଧାରଣ ସମ୍ପାଦକ ଇଶାନୀ ଷଡ଼ଙ୍ଗୀ, ଉପସଭାପତି ଇନ୍ଦ୍ରମଣି ବେହେରା ପ୍ରମୁଖ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ପରେ ଆନ୍ଦୋଳନକାରୀଙ୍କ ଏକ ୭ଜଣିଆ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସଚିବ ଆସ୍ବଥୀ ଏସ୍‌ଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ପାଚିକା ଓ ସହାୟିକାଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ସେମାନେ ସର୍ବନିମ୍ନ ମଜୁରି ପାଉନାହାନ୍ତି କିମ୍ବା ସେମାନଙ୍କର ସାମାଜିକ ସୁରକ୍ଷାର କୌଣସି ବ୍ୟବସ୍ଥା ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପାଚିକା ସହାୟିକାଙ୍କୁ ଶ୍ରମିକ ମାନ୍ୟତା, ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ, ଅବସରକାଳୀନ ଭତ୍ତା, ପ୍ରସୂତିକାଳୀନ ୬ ମାସ ଛୁଟି ମଜୁରି ସହ ବର୍ଷକୁ ୨ ଯୋଡ଼ା ଶାଢ଼ି ପ୍ରଦାନ, ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି।

Share