ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ ମାସ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଠାରେ ରୋଗୀଙ୍କୁ ଚିକିତ୍ସା ମିଳିପାରୁ ନାହିଁ। ଏ ନେଇ ବାରମ୍ବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାମାଜିକ କର୍ମୀମାନେ ଭେଟିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେଣୁ ସାମାଜିକ କର୍ମୀମାନେ ବାଧ୍ୟ ହୋଇ ଜେରିଆଟିକ୍‌ ୱାର୍ଡ ସମ୍ମୁଖରେ ଧାରଣାରେ ବସିଥିଲେ। ଖବରପାଇ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ ଘଟଣାସ୍ଥଳକୁ ଆସି ସାମାଜିକ କର୍ମୀଙ୍କୁ ବୁଝାଶୁଝା କରିଥିଲେ। ତେବେ ୱାର୍ଡ କାର୍ଯ୍ୟକ୍ଷମ ହେଲେ ଧାରଣା ପ୍ରତ୍ୟାହାର ହେବ ବୋଲି ସାମାଜିକ କର୍ମୀମାନେ କହିଥିଲେ। ଏହାପରେ ସନ୍ଧ୍ୟାରେ ଜେରିଆଟିକ୍‌ ୱାର୍ଡରେ ୩ ରୋଗୀଙ୍କୁ ରଖାଯିବା ସହ ଅସ୍ଥାୟୀ ଭାବେ ଜଣେ ନର୍ସ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଓ୍ବାର୍ଡରେ ରଖିଥିଲେ। ଏଥିସହ ଉକ୍ତ ବିଭାଗ ଡାକ୍ତର ଆସି ଦେଖାଶୁଣା କରିବେ ବୋଲି ଏଡିଏମ୍‌ଓ ବିଶୋଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସାମାଜିକ କର୍ମୀମାନେ ଧାରଣା ପ୍ରତ୍ୟାହାର କରିଥିଲେ।