ଆନ୍ଦୋଳନ ପାଇଁ ବିଦ୍ୟୁତ୍‌ କର୍ମଚାରୀ ସଂଘର ସଜବାଜ

ବାରିପଦା ଅଫିସ,୧୨ା୧- ବାରିପଦା ସହର ରଘୁନାଥପୁରସ୍ଥିତ ଗଣେଶ ମଣ୍ଡପଠାରେ ପାୱାର ଏମ୍ପ୍ଲଇଜ୍‌ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ସହ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଓ ଡିଭିଜନାଲ ସେକ୍ରେଟାରି ଚନ୍ଦନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଠିକା କର୍ମଚାରୀଙ୍କୁ ସଂସ୍ଥା ଠିକ୍‌ ସମୟରେ ଦରମା ପ୍ରଦାନ ନ କରିବା, ଇପିଏଫ୍‌ ଜମା ନ କରିବା, ଇପିଏଫ୍‌ ରସିଦ ନ ଦେବା, ଇଏସ୍‌ଆଇ ପୈଠ ନ କରିବା, ପ୍ରତ୍ୟେକ କର୍ମଚାରୀଙ୍କ ଇନ୍ସୁରାନ୍ସ କରୁ ନ ଥିବା, ପରିଚୟ ପ୍ରଦାନ ନ କରିବା, ସୁରକ୍ଷା ସରଞ୍ଜାମ ପ୍ରଦାନ ନ କରିବା ଆଦି ବିଷୟ ଉପରେ ଆଲୋଚନା କରାଯାଇ ସଂଘ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଥିଲା। ଉପରୋକ୍ତ ସମସ୍ୟାର ସମାଧାନ କରା ନ ଗଲେ ସଂଘ ଆନ୍ଦୋଳନ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବାରିପଦା ସର୍କଲ ଅଧୀନରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ଯୋଗ ଦେଇଥିଲେ।