ଆନ୍ଧ୍ରପ୍ରଦେଶରେ ଫସିଥିବା ୭୦ ଓଡ଼ିଆ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଘାତକ କରୋନା ଭୂତାଣୁ ମୁକାବିଲାକୁ ନେଇ ଉପୁଜିଥିବା ଜଟିଳ ପରିସ୍ଥିତିରେ ଓଡ଼ିଶାର ୭୦ ଶ୍ରମିକ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ପେଡ଼ାତଡ଼େପଲ୍ଲୀ ସ୍ଥାନରେ ଫସି ରହିଥିଲେ। ସେମାନଙ୍କୁ ସହାୟତାର ହାତ ବଢ଼ାଇଛି ‘ଓଡ଼ିଶା ମୋ ପରିବାର’।

ସୂଚନାନୁଯାୟୀ, ଭଦ୍ରକର ୧୫ଜଣ ଓ ଗଞ୍ଜାମର ୫୫ଜଣ ମୋଟ ୭୦ଜଣ ଓଡ଼ିଆ ଶ୍ରମିକ ଏକ ସୂତାକଳରେ କାର୍ଯ୍ୟ କରୁଥିଲେ। ଏବେ ସମଗ୍ର ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ମାଲିକ ଦୁଇମାସରୁ ଊର୍ଦ୍ଧ୍ୱ ଦରମା ନ ଦେଇ ବାସସ୍ଥାନ ଛାଡ଼ି ନିଜ ଗୃହକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଅସହାୟ ହୋଇପଡ଼ିଥିବା ଶ୍ରମିକଙ୍କ ବିଷୟରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ଜାଣିବାକୁ ପାଇଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ବିଷୟରେ ଅବଗତ କରାଇଥିଲେ। ସେଠାରୁ ଆନ୍ଧ୍ରପ୍ରଦେଶର ଲେବର କମିଶନରଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ସୂତାକଳର ମାଲିକ ସେଠାରେ ଥିବା ୬ଶହ ଶ୍ରମିକଙ୍କୁ ବାସସ୍ଥାନ ସହ ଖାଦ୍ୟ ଯୋଗାଇ ଦେଇଛନ୍ତି। ଏହାକୁ ନେଇ ଓଡ଼ିଆ ଶ୍ରମିକମାନେ ମୁଖ୍ୟମନ୍ତ୍ରୀ, ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଲେବର କମିଶନର ଏବଂ ଓଡ଼ିଶା ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

Share