ହାଇଦ୍ରାବାଦ,୧୩।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ ଦିଶା ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶୁକ୍ରବାର ବିଧାନସଭାରେକ ଦିଶା ବିଲ୍ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଗୃହୀତ ହୋଇଛି। ଏଣିକି ବଳାତ୍କାର ଓ ଗଣବଳାତ୍କାର ଅଭିଯୁକ୍ତଙ୍କ ମାମଲାକୁ ୨୧ଦିନରେ ଶେଷ କରାଯାଇ ଫାଶୀ ଦଣ୍ଡାଦେଶ ଦିଆଯିବା ବାଧ୍ୟତାମୂଳକ ରହିବ। ଏହା ଆନ୍ଧ୍ରପ୍ରଦେଶ ଅପରାଧ ଆଇନରେ ସଂଶୋଧନ ଆଣିବ। ଏହାକୁ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ ନାମରେ ନାମିତ କରାଯାଇଛି। ନିକଟରେ ତେଲଙ୍ଗାନାରେ ଗଣବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କ ସ୍ମୃତିରେ ଏହି ଆଇନ ତିଆରି କରାଯାଇଛି। ଏହି ସଂଶୋଧିତ ଆଇନରେ ବଳାତ୍କାର ଓ ଗଣବଳାତ୍କାର ମାମଲାର ଯଥେଷ୍ଟ ପ୍ରମାଣ ସହିତ ୭ ଦିନରେ ତଦନ୍ତ, ୧୪ ଦିନରେ ଶୁଣାଣି କରାଯିବ। ଏଥିସହ ୨୧ ଦିନ ଭିତରେ ଏହି ମାମଲାର ସମସ୍ତ ଶୁଣାଣି କରି ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ ନିର୍ଯାତନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆନ୍ଧ୍ର ୨ଟି ବିଲ୍ ଗୃହୀତ କରିଥିଲା।