ଆନ୍ଧ୍ରପ୍ରଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ: ତୈଳ ଓ ଗ୍ୟାସ ପ୍ରକଳ୍ପରେ କରାଯିବ ବିପୁଳ ପୁଞ୍ଜିନିବେଶ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି। ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମବୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ ନିଆଯାଇଥିବା ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍‌ ପ୍ରକଳ୍ପର ସମୀକ୍ଷା କରିବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ରାଜସ୍ବ ବୃଦ୍ଧି ହେବାସହ ଯୁବକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ।
ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହିସବୁ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଆନ୍ଧ୍ରପ୍ରଦେଶରେ ଏକ ଅଟନୋମସ୍‌ ପେଟ୍ରୋଲିୟମ ଇନ୍‌ଷ୍ଟିଚ୍ୟୁସନ୍‌ ସ୍ଥାପନା କରାଯିବ। ଯାହା ଦେଶର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ କୁଶଳ କ୍ଷମତା ବିଶିଷ୍ଟ କାର୍ଯ୍ୟବଳୀ ତିଆରି କରିବାରେ ସହଯୋଗ କରିବ। ଏହି ଗସ୍ତ ଅବସରରେ ଧର୍ମେନ୍ଦ୍ର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ଓଡିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଛନ୍ତି । ରାଜ୍ୟପାଳଙ୍କ ସହ ଏଠାରେ ନିଆଯାଇଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପ ଉପରେ ସୂଚିତ କରିଛନ୍ତି । ବିଶେଷଭାବେ କ୍ରୀଷ୍ଣା-ଗୋଦାବରୀ ବେସିନ, ଯାହା ଭବିଷ୍ୟତରେ ଭାରତର ଗ୍ୟାସ ଚାହିଦାକୁ ପୂରଣ କରିବାର ବଡ କ୍ଷମତା ରଖିଛି ଏ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି।

Share