Categories: ମେଟ୍ରୋ

ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ, ନାବାଳିକା

ଭୁବନେଶ୍ୱର, ୧ା୫ (ବ୍ୟୁରୋ)- ଓଡିଶାରୁ ମୁମ୍ବାଇ ଚାଲାଣବେଳେ ୧୭ଜଣ ନାବାଳିକା, ଯୁବତୀ ଓ ମହିଳାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଏବଂ ଚାଇଲ୍ଡ ଲାଇନ  ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତ ପରେ ମଙ୍ଗଳବାର ସେମାନଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି।

ସୂଚନା ମୁତାବକ,  ବାଲିଗୁଡ଼ା, ଫୁଲବାଣୀ ସମେତ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଏହି ଅସହାୟ ନାବଳିକା ଓ ଯୁବତୀମାନଙ୍କୁ କେତେଜଣ ଦଲାଲ କୋଣାର୍କ ଏକ୍ସପ୍ରେସ୍‌ରେ ମୁମ୍ବାଇ ଚାଲାଣ କରୁଥିଲେ। ଗତ ୧୬ ତାରିଖରେ ଆନ୍ଧ୍ରପ୍ରଦେଶ ପୋଲିସ ଓ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଉକ୍ତ ଟ୍ରେନରୁ କେତେଜଣ ଲୋକ ଫୋନ୍‌ କରି ଜଣାଇଥିଲେ। ତୁରନ୍ତ ପୋଲିସ ଓ ଚାଇଲ୍ଡ ଲାଇନ୍‌ର ସ୍ବତନ୍ତ୍ର ଟିମ ରାଜମଣ୍ଡ୍ରୀ ଷ୍ଟେଶନ ନିକଟରେ କୋଣାର୍କ ଏକ୍ସପ୍ରେସରେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା।  ପଚରାଉଚରା କରିବାରୁ ସେମାନେ ବମ୍ବେସ୍ଥିତ ଏକ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ଜଣେ ମହିଳା କହିଥିଲେ। ସେଠାରେ ମହିଳା ଜଣକ ୮ବର୍ଷ ହେବ କାମ କରୁଥିବା କହିବା ସହ  ତାଙ୍କ ସହ ୬ଜଣ ଯାଉଥିବା ସେ କହିଥିଲେ। ଅନ୍ୟମାନେ ମୁମ୍ବାଇର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିବା କହିଥିଲେ।  ତେବେ ଉଦ୍ଧାର ନାବାଳିକା, ଯୁବତୀ ଓ ମହିଳା ଓଡ଼ିଶା ଫେରିଆସିବା ପରେ ସେମାନଙ୍କୁ  ସ୍ବାଧାର ଗୃହକୁ ପଠାଇ ଦିଆଯାଇଛି। ତେବେ ବାସ୍ତବରେ ସେମାନେ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିଲେ ନା ଦଲାଲମାନେ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବାକୁ ଚାଲାଣ କରୁଥିଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।  ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରିବାକୁ  ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share