କଣ୍ଟାବାଞ୍ଜି, ୧୬।୪(ଡି.ଏନ.ଏ.)- କରୋନା ମହାମାରର ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ ଡାଉନ ରହିଛି। ଏଣୁ ଟ୍ରେନ୍ ସହ ଯାନବାହାନ ବନ୍ଦ ରହିଛି। ହେଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ୍ ତଥା କଣ୍ଟାବାଞ୍ଜି ଥାନା ଅଧୀନ ହିଆଁଲ ପଞ୍ଚାୟତ ଡୁମେରଚୁଆଁ ଗାଁର ୪ ଜଣ ବ୍ୟକ୍ତି ଆନ୍ଧ୍ର ପାର୍ବତୀପୁରମ୍ରୁ ରେଳ ଲାଇନ କଡେ କଡେ ଚାଲି ଚାଲି ଗାଁରେ ପହଞ୍ଚିଛନ୍ତି। ଏମାନେ ସେଠାରେ ଏକ ଇଟାଭାଟିରେ କାମ କରୁଥିଲେ। ୫/୬ ଦିନ ଚାଲିବା ପରେ ବୁଧବାର ରାତିରେ ଏମାନେ ଘରେ ପହଞ୍ଚିଛନ୍ତି। ଗାଁ ଲୋକେ ଏମାନଙ୍କ ସମ୍ପର୍କରେ ସରପଞ୍ଚ ହରିସିଂ ପୋଢଙ୍କୁ ଜଣାଇଥିଲେ। ହେଲେ ସେମାନଙ୍କ ପାଇଁ ପଞ୍ଚାୟତ କ୍ୱାରାଣ୍ଟାଇନ କେନ୍ଦ୍ରରେ କୌଣସି ସୁବିଧା କରାଯାଇ ନ ଥିବାରୁ ଗାଁରୁ ପଳାଇ ଯିବାକୁ ସରପଞ୍ଚ କହିଥିଲେ। ଗାଁ ଲୋକେ ଏ ନେଇ ତୁରେକେଲା ବିଡିଓ ମନୋଞ୍ଜେନ ପାଣିଗ୍ରାହୀ ଓ କଣ୍ଟାବାଞ୍ଜି ତହସିଲଦାର ଅଶୋକ ମାଝିଙ୍କୁ ଜଣାଇବାକୁ ଫୋନ୍ରେ ଚେଷ୍ଟା କରିଥିଲେ ବି ଲାଗି ନ ଥିଲା। ଏଣୁ ଏହି ୪ ବ୍ୟକ୍ତି ଏବେ ବାଧ୍ୟ ହୋଇ ନିଜ ଘରେ ପରିବାର ମେଳରେ ରହୁଛନ୍ତି। ତେବେ ଏଏନ୍ଏମ୍ ପଙ୍କଜିନୀ ଡୋରା, ଆଙ୍ଗନଓ୍ବାଡି କର୍ମୀ ସାବିତ୍ରୀ ସୁନା, ଲକ୍ଷ୍ମୀ ମାଝି, ଆଶାକର୍ମୀ ରୁଖବତି ଜାଲ ଗୁରୁବାରୁ ସକାଳୁ ଏମାନଙ୍କୁ ଭେଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।