ଆନ୍ଧ୍ରରୁ ସାଇକେଲରେ ବ୍ରହ୍ମଗିରି ଫେରିଲେ ୭ ଶ୍ରମିକ: ୭୫୦ କି.ମିକୁ ଲାଗିଲା ୭ ଦିନ

ବ୍ରହ୍ମଗିରି,୨୯ା୪(ଡି.ଏନ.ଏ): ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ୭ଜଣ ଶ୍ରମିକ ଗାଁ ଛାଡ଼ିି ଆନ୍ଧ୍ରପ୍ରଦେଶକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। କିନ୍ତୁ ସେମାନଙ୍କ ପାଇଁ ଦୁର୍ଦ୍ଦଶା ଆଣିଲା କରୋନା। ମାସେ ହେଲା ସାରା ଦେଶ ଲକ୍‌ଡାଉନ। ଏଥିଯୋଗୁ ଶିଳ୍ପ, କାରଖାନା ଓ ଜୀବନ ଜୀବିକା ସବୁ ଠପ୍‌ ହୋଇପଡ଼ିିଛି। ଫଳରେ ସେମାନେ କାମଧନ୍ଦା ହରାଇବା ସହ ରୋଜଗାର ବନ୍ଦ ହୋଇଯିବାରୁ ବହୁ କଷ୍ଟରେ କିଛିଦିନ ଚଳିବା ପରେ ନିଜ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସାଇକେଲ ଯୋଗେ ଏହି ୭ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାର ବିଭିନ୍ନ ଗଳାବାଟ ଦେଇ ଦୀର୍ଘ ୭୫୦ କିଲୋମିଟର ଅତିକ୍ରମ କରି ବୁଧବାର ନିଜ ଗ୍ରାମରେ ପହଞ୍ଚିଛନ୍ତି। ଏବେ ଗ୍ରାମରେ ସମସ୍ତଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯାଇଛି।
ସୂଚନା ଅନୁଯାୟୀ, ପୁରୀ ଜିଲା ବ୍ରହ୍ମଗିରି ବ୍ଲକର ଏହି ୭ଜଣ ଓଡ଼ିିଆ ଶ୍ରମିକ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲା ଗୁଡ଼ିଭାଡ଼ା ଅଞ୍ଚଳର ଏକ ରାଇସ୍‌ ମିଲରେ କାମ କରୁଥିଲେ। ଲକ୍‌ଡାଉନ ପ୍ରଭାବରୁ କାମ ବନ୍ଦ ପରେ ସେମାନଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଥିଲା। ପାଖରେ ଥିବା ଖାଦ୍ୟ ସାମଗ୍ରୀ ଓ ପଇସାପତ୍ର ସରିଯିବାରୁ ଏମାନେ ଶେଷରେ ବାଧ୍ୟ ହୋଇ ନିଜ ଗାଁକୁ ଗତ ୨୩ ତାରିଖରେ ସାଇକେଲ ଯୋଗେ ବାହାରିଥିଲେ। ବୁଧବାର ଏମାନେ ନିଜ ନିଜ ଗ୍ରାମରେ ପହଞ୍ଚିଥିଲେ। ଏହି ଖବର ପାଇ ବ୍ରାହ୍ମଣିଆ, ବଡବେଣାକୁଦି, ଭୁବନପୁର ଓ ନିଆଜପୁର ଗ୍ରାମପଞ୍ଚାୟତର ସରପଞ୍ଚମାନେ ସେମାନଙ୍କୁ ନେଇ ସମ୍ପୃକ୍ତ ପଞ୍ଚାୟତରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ୧୪ଦିନ ପାଇଁ ରଖାଇବା ବ୍ୟବସ୍ଥା କରିଥିଲେ।

Share