ଆନ୍ଧ୍ରରେ ଫସି ରହିଛନ୍ତି ୨୫୦ ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏହି କ୍ରମରେ ବରଗଡ଼ ଓ ବଲାଙ୍ଗୀର ଜିଲାରୁ ଆନ୍ଧ୍ର ପ୍ରଦେଶ ଯାଇଥିବା ୨୫୦ଜଣ ଶ୍ରମିକ ସେଠାରେ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାର ଏକ ସୂତାକଳକୁ ସେମାନେ ଗତ କିଛିମାସ ତଳୁ କାମ କରିବାକୁ ଯାଇଥିଲେ । ମାତ୍ର ଲକ୍‌ଡାଉନ୍‌ କଟକଣା ଯୋଗୁ ସୂତାକଳ ବନ୍ଦ ହୋଇଯିବାରୁ ସେମାନଙ୍କ ରୋଜଗାର ମଧ୍ୟ ବନ୍ଦ ପଡ଼ି ଯାଇଛି । ସେହିପରି ସେଠାରେ ସେମାନେ ଖାଇବା, ପିଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ଏ ନେଇ ସୂଚନା ପାଇବା ପରେ ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ସେହି ଶ୍ରମିକଙ୍କ ଖାଇବା, ପିଇବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଗୁଣ୍ଟୁର ଜିଲା କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି । ଏହାପରେ ଏକ ଟିମ୍‌ ସେଠାକୁ ପହଞ୍ଚି ଶ୍ରମିକଙ୍କ ସମସ୍ୟା ବୁଝିଥିବା ସୂଚନା ମିଳିଛି ।

Share