ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ ଡକ୍ଟରେଟ୍‌ ଉପାଧି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ପଞ୍ଜାବର ମଣ୍ଡି ଗୋବିନ୍ଦଗଡ଼ସ୍ଥିତ ଦେଶ୍‌ ଭଗତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱଭୂଷଣଙ୍କୁ ଦେଶସେବାରେ ତାଙ୍କ ସହଭାଗିତା, ଜାତି ପ୍ରତି ଅତୁଳନୀୟ ଅବଦାନ ଏବଂ ସାଂସ୍କୃତିକ ଓ ସାହିତ୍ୟ ଆଦି କ୍ଷେତ୍ରରେ ସଫଳତା ପାଇଁ ଡକ୍ଟରେଟ୍‌ ଉପାଧିରେ ଭୂଷିତ କରାଯାଇଛି। ୧୯୬୨ରେ ବିଶ୍ୱଭୂଷଣ ଆଇନଜୀବୀ ଭାବେ ଓଡ଼ିଶା ହାଇକୋର୍ଟର ବାର୍‌ ଆସୋସିଏସନରେ ଯୋଗ ଦେଇଥିଲ। ଏହାପରେ ସେ ଓଡ଼ିଶା ରାଜ୍ୟ ବାର୍‌କାଉନ୍‌ସିଲ୍‌ର ଜଣେ ନିର୍ବାଚିତ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ। ୧୯୭୧ରେ ଭାରତୀୟ ଜନସଂଘରେ ଯୋଗଦାନ କରିଥିଲେ ଏବଂ ୧୯୭୭ରେ ଓଡ଼ିଶା ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସାରାଭାରତରେ ଚାଲିଥିବା ଜରୁରୀକାଳୀନ ପରସ୍ଥିତି ସମୟରେ ଜନସଚେତନତା ସୃଷ୍ଟି କରି କାରାବରଣ କରିଥିଲେ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜଣେ ନାଟ୍ୟକାର ଓ ସ୍ତମ୍ଭକାର ଭାବେ ସୁନାମ ଅର୍ଜନ କରିଛନ୍ତି।

Share