Categories: ଜାତୀୟ

ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧( ଆଇଏଏନ୍‌ଏସ୍‌): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍‌ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରତିଶ୍ରୁତି ଦେବା ପରେ ବିଧେୟକକୁ ବିଳମ୍ବିତ ରାତିରେ ଗୃହର ମଞ୍ଜୁରୀ ମିଳିଛି। ଆନ୍ଧ୍ରପ୍ରଦେଶ ଡିସେଣ୍ଟ୍ରାଲାଇଜେଶନ୍‌ ଆଣ୍ଡ ଇନ୍‌କ୍ଲୁସିଭ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଅଲ୍‌ ରିଜିଅନ୍ସ ବିଲ୍‌, ୨୦୨୦ ଅନୁସାରେ ଅମରାବତୀ ରାଜ୍ୟର ବ୍ୟବସ୍ଥାପିକା ରାଜଧାନୀ ରହିବ। ସେହିପରି ବିଶାଖାପଟନମ୍‌ କାର୍ଯ୍ୟପାଳିକା ଓ କୁର୍ନୁଲ ନ୍ୟାୟପାଳିକା ରାଜଧାନୀ ହେବ ବୋଲି ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଛି। ବିଧାନସଭାରେ ଏହାକୁ ନେଇ ୧୨ ଘଣ୍ଟା ଧରି ବିତର୍କ ଚାଲିବା ପରେ ଧ୍ୱନିମତରେ ବିଧେୟକ ଗୃହୀତ ହୋଇଛି। ଶାସନ ବିକେନ୍ଦ୍ରୀକରଣ ଓ ସମସ୍ତ ଅଞ୍ଚଳର ବିକାଶ ଲକ୍ଷ୍ୟ ନେଇ ଆଉ ଦୁଇଟି ରାଜଧାନୀକୁ ବିକଶିତ କରାଯିବ। ବର୍ତ୍ତମାନର ରାଜଧାନୀ ଅମରାବତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନାହିଁ ବୋଲି ଜଗନ୍‌ମୋହନ ସ୍ପଷ୍ଟ କରିଛନ୍ତି।

Share