ମାଲକାନଗିରି,୧୨।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ବୁଧବାର ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଜିପ୍ରୋ ହବିକା ଓ ତାଙ୍କ ଘର କୋରାପୁଟ ଜିଲାର ନାରାୟଣପାଟଣା ଥାନା ଅନ୍ତର୍ଗତ ଖାଜାଗୁଡ଼ା ଗ୍ରାମର। ତାଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୫ ତାରିଖ ରାତିରେ ୨୫ରୁ ଊର୍ଦ୍ଧ୍ୱ ମାଓବାଦୀ ସ୍ବାଭିମାନ ଅଞ୍ଚଳଳର ଜୁନ୍ତରାଇ ଗ୍ରାମକୁ ଯାଇ ଲୋକଙ୍କୁ ସ୍ବାଭିମାନ ଅଞ୍ଚଳର ରାସ୍ତାଘାଟ ସହ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ ଦେଉଥିବାରୁ ଧମକ ଦେଇ କିଛି ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗୁଳିଚାଳନା କରିଥିଲେ। ଏଥିରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପଥର ଓ ଢେଲାମାଡ କରିଥିଲେ। ଉଭୟ ଗୁରୁତର ହେବା ପରେ ସେମାନଙ୍କୁ କାବୁ କରିବାକୁ ଯାଇ ହାତଗାଡ଼ ବାନ୍ଧି ଦେଇଥିଲେ। ତେବେ ଗ୍ରାମବାସୀଙ୍କ ମାଡ଼ରେ ଗଙ୍ଗା ମାଡ଼ି ନାମକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜିପ୍ରୋ ଗୁରୁତର ହୋଇଥିଲେ। ପରେ ପୋଲିସ ତାଙ୍କୁ ଚିକିସତ୍ାଳୟରେ ଭର୍ତ୍ତି କରାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ତେବେ ପୂର୍ବରୁ ମାଓବାଦୀମାନେ ବିକାଶକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ବିପକ୍ଷରେ ସ୍ବରଉତ୍ତୋଳନ କରୁଥିଲେ। କିନ୍ତୁ ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳର ଗ୍ରାମବାସୀ ବିକାଶ ଚାହଁୁଥିବା ବେଳେ ମାଓବାଦୀ ସଂଗଠନ ବିକାଶକୁ ବିରୋଧ କରୁଛନ୍ତି। ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ସେ ଆମତ୍ସମର୍ପଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଆରକ୍ଷୀ ଅଧୀକ୍ଷକ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆନ୍ଧ୍ରପ୍ରଦେଶର ଆରକୁଭେଲି ନିକଟରେ ବିଧାୟକ କେ.ଏସ.ରାଓ ଓ ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କୁ ହତ୍ୟା କରିବା ସହ ପାଡୁଆ ନିକଟରେ ଗୁଳି ବିିନିମୟ ଓ ଛତିଶଗଡ଼ର ଇନ୍ଦ୍ରାବତୀ ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟଣା ଆଦିରେ ସଂପୃକ୍ତ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଏସ୍ଏଫ୍ର କମାଣ୍ଡାଣ୍ଟ ଅମରେନ୍ଦ୍ର କେ ସିଂ ଉପସ୍ଥିତ ଥିଲେ।