ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ପରଖିଲେ ମାଡ୍ରାସ ଚିକିତ୍ସକ

ବାରଙ୍ଗ,୩ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ଅତିଥି ଭାବେ ଆସିଥିବା ଦୁଇଟି ଆନ୍ନକୋଣ୍ଡାର ମୃତ୍ୟୁ ଘଟଣାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏ ନେଇ ସୋମବାର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ସହକାରୀ ନିର୍ଦ୍ଦେଶକ ତଥା କୁମ୍ଭୀର ବିଶେଷଜ୍ଞ ଡ.ଅଜୟ କାର୍ତ୍ତିକେୟ ଓ ଡା. ରୁବିନାକୁ ନେଇ ଗଠିତ ଦୁଇଜଣିଆ ଟିମ ନନ୍ଦନକାନନକୁ ଆସିଥିଲେ। ଏହି ଟିମ ସରୀସୃପ ଉଦ୍ୟାନର ୪୫କେ ରହୁଥିବା ଆନ୍ନାକୋଣ୍ଡାକୁ ଦେଖିବା ସହ ସଂକ୍ରମଣରେ ଆକ୍ରାନ୍ତ ଥିବା ୪ଟି ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ପ୍ରଣାଳୀ ବିଷୟରେ ତର୍ଜମା କରିଥିଲେ। ପରେ ସେମାନେ ୬ଟି ଆନ୍ନାକୋଣ୍ଡାର ଭବିଷ୍ୟତକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ। ଅପରପକ୍ଷେ ନନ୍ଦନକାନନ ପକ୍ଷରୁ ସୋମବାର ଆନ୍ନକୋଣ୍ଡା ରହୁଥିବା ପେଟି ଭିତରେ ଲାଇଟ ଲଗାଯାଇଛି। ପୁନର୍ବାର ତାପମାତ୍ରା ନିୟନ୍ତ୍ରଣ କରିବା ଶକ୍ତି ଓ ଆନୁସଙ୍ଗିକ ବ୍ୟବସ୍ଥା ଥାଇ ଏକ ପେଟି ନିର୍ମାଣ କରାଯିବ। ଅସୁସ୍ଥ ଥିବା ଆନ୍ନାକୋଣ୍ଡା ସ୍ବାସ୍ଥ୍ୟରେ ସୁଧାର ଆସୁଥିବାବେଳେ ପୂର୍ଣ୍ଣ ରୂପେ ଠିକ ନ ହେବା ପର୍ଯ୍ୟନ୍ତ ଏହାକୁ ଦେଖିବାରେ ପର୍ଯ୍ୟଟକ ବଞ୍ଚତ୍ତ ରହିବେ ବୋଲି ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ହଠାତ ଦୁଇଟି ଆନ୍ନାକୋଣ୍ଡାର ମୃତ୍ୟୁ ହୋଇଥିଲା। କିନ୍ତୁ ପରେ ଏହା କୌଣସି ଏକ ସଂକମ୍ରଣ ରୋଗରୁ ହୋଇଥିବା ଜଣାପଡିବା ପରେ ଆଉ ୪ଜଣ ଅସୁସ୍ଥ ହୋଇପଡିଥିଲେ।

Share