‘ଆପଣଙ୍କ ଫାଲ୍‌ତୁ କଥା ବହୁତ ଶୁଣିଲି’

ବର୍ମିଂହାମ, ୪।୭ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ବୁଧବାର ପ୍ରାକ୍ତନ କ୍ରିକେଟର୍‌ ତଥା ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ନିକଟରେ ଇଂଲଣ୍ଡ ନିକଟରୁ ପରାଜୟବରଣ କରିବା ପରେ ମଞ୍ଜରେକର ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଓପନର୍‌ ଲୋକେଶ ରାହୁଲଙ୍କୁ ସମାଲୋଚନା କରିଥିଲେ। ସେହିଭଳି ଜାଡେଜାଙ୍କୁ ‘ଅଳ୍ପ ଅଳ୍ପ ପ୍ରଦର୍ଶନ କରୁଥିବା ଖେଳାଳି’ ବୋଲି ଅଭିହିତ କରିଥିଲେ। ଏହି ଟିପ୍ପଣୀରେ ନାରାଜ ଥିବା ଜାଡେଜା ଟୁଇଟର୍‌ରେ ମଞ୍ଜରେକରଙ୍କ ଉପରେ ବର୍ଷିଛନ୍ତି। ‘ମୁଁ ଆପଣଙ୍କଠାରୁ ଦୁଇଗୁଣା ମ୍ୟାଚ୍‌ ଖେଳିସାରିଛି ଏବଂ ବର୍ତ୍ତମାନ ବି ଖେଳ ଜାରି ରଖିଛି। ଯେଉଁମାନେ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନ କରିବା ଶିଖନ୍ତୁ। ମୁଁ ଆପଣଙ୍କ ଫାଲ୍‌ତୁ କଥା ବହୁତ୍‌ ଶୁଣି ସାରିଲିଣି’ ବୋଲି ଜାଡେଜା ନିଜ ଟୁଇଟର୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ଜାଡେଜା ୧୫୧ ମ୍ୟାଚ୍‌ ଖେଳି ସାରିଛନ୍ତି। ଯେଉଁଥିରେ ସେ ୨୦୩୫ ରନ ସଂଗ୍ରହ କରିବା ସହିତ ୧୭୪ ଉଇକେଟ୍‌ ଅକ୍‌ିଆର କରିଛନ୍ତି। ଅପରପକ୍ଷରେ ପ୍ରାକ୍ତନ ମଧ୍ୟକ୍ରମ ଭାରତୀୟ ବ୍ୟାଟ୍ସମ୍ୟାନ ମଞ୍ଜରେକର ୩୭ ଟେଷ୍ଟ ଓ ୭୪ ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ୨୦୪୩ ଓ ଦିନିକିଆରେ ୧୯୯୪ ରନ୍‌ କରିଛନ୍ତି।
ବିଶ୍ୱକପରେ ଭାରତ ବର୍ତ୍ତମାନ ସୁଦ୍ଧା ୮ ମ୍ୟାଚ୍‌ ଖେଳିସାରିଥିବାବେଳେ ଜାଡେଜାଙ୍କୁ ଗୋଟିଏ ମ୍ୟାଚରେ ବି ସୁଯୋଗ ମିଳିନାହିଁ। କିନ୍ତୁ ବଦଳ ଖେଳାଳିଭାବେ ସେ ବହୁବାର ଫିଲ୍ଡିଂ କରି ଚମତ୍କାର କ୍ୟାଚ୍‌ ଧରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜାସନ ରୟଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

Share