ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତିଙ୍କ ଏହି ଡାଇଲଗ୍‌କୁ ନେଇ ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଷୋଡ଼ଶ ବିଧାନସଭା ଦ୍ୱିତୀୟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସ ଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବେଶ୍‌ ଉତ୍ସାହିତ ଏବଂ ଫ୍ରେଶ୍‌ ଜଣାପଡ଼ୁଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସଦସ୍ୟମାନେ ନିଜ ସିଟ୍‌ରେ ବସି ପରସ୍ପର ଆଲୋଚନାରେ ମାତିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଗୃହକୁ ପ୍ରବେଶ କରିବା ମାତ୍ରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ସେ ତାଙ୍କ ଢଙ୍ଗରେ ଶାସକ ଦଳର ସଦସ୍ୟ ଏବଂ ମନ୍ତ୍ରୀମାନଙ୍କୁ ହାତ ହଲାଇ ନମସ୍କାର ଜଣାଇବା ସହ ବ୍ୟଙ୍ଗ କରିଥିଲେ। ଶାସକଦଳ ସଦସ୍ୟଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଆପଣମାନେ ଖୁସି ତ। ମୁଁ ବି ବହୁତ ଖୁସି। ଏଭଳି ଢଙ୍ଗରେ କହୁଥିବାବେଳେ ୧୦ଟା ୫୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀ ସଦସ୍ୟମାନଙ୍କୁ ନମସ୍କାର କରୁଥିବାବେଳେ ତାରା ତାଙ୍କୁ ଲକ୍ଷ୍ୟ କରି କହିଲେ, ସାର୍‌। ଆପଣ ଖୁସି ତ। ମୁଖ୍ୟମନ୍ତ୍ରୀ ସ୍ମିତ ହାସ୍ୟଦେଇ କହିଥିଲେ, ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ପ୍ରତିକ୍ରିୟା ଦେଖି ଶାସକ ଦଳର ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଏହାକୁ ନେଇ ଗୃହରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

Share