ଆପଣମାନେ ଖୁସି ତ

ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ଏବେ ଚର୍ଚ୍ଚାରେ। କାରଣ ଏଥିରେ ଏପରି ଏକ ଗୀତ ସଂଯୋଜିତ ହୋଇଛି, ଯାହା ଆଲୋଚନା ପାଇଁ ଯଥେଷ୍ଟ ଖୋରାକ ଯୋଗାଇଛି। ଗୀତଟିର ଏକ ଟ୍ୟାଗ୍‌ ଲାଇନ୍‌ ରହିଛି ‘ଆପଣମାନେ ଖୁସି ତ’। ଓଲିଉଡ୍‌ର ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ଭାବେ ପରିଚିତ ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜନା କରିଥିବା ବେଳେ ମସ୍ତିଭରା ଏପରି ଗୀତଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ। ଏ ସମ୍ପର୍କରେ ପ୍ରେମ ଆନନ୍ଦ କହନ୍ତି, ‘କଲେଜର ବାର୍ଷିକ ଉତ୍ସବରେ ପିଲାମାନେ ଗୀତ ଗାଇ ନାଚୁଛନ୍ତି। ଏହି ସମୟରେ ଏଭଳି ଏକ ଗୀତକୁ ଯୋଡ଼କା ଯାଇଛି, ଯାହାର ଆଦ୍ୟ ଲାଇନ୍‌ ରହିଛି- ମନଟା ଆମ ମାଲ୍‌ ମହୁ ଦିଲ୍‌ଟା ସାଦାସିଧା। ସିକ୍ୟୁଏନ୍ସ ଅନୁସାରେ ଜଣେ ଝିଅ ପୁଅମାନଙ୍କ ମଧ୍ୟରୁ କିଏ ତା’ ସହ ନାଚିବ ବୋଲି କହିବା ପରେ ଜଣେ ପୁଅ ତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛି। ଆଉ ଯେତେବେଳେ ଏହି ଯୋଡିକୁ ବାହାବା ମିଳୁଛି ସେତେବେଳେ ପୁଅଟି କହୁଛି ‘ଆପଣମାନେ ଖୁସି ତ’।’ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ‘ଆପଣମାନେ ଖୁସି ତ’ ଲାଇନ୍‌ଟିକୁ ଗାଇଛନ୍ତି ବିୟୁଟିଫୁଲ ଦାସ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ଜ୍ୟୋତି ନାୟକ ଏବଂ ଅମ୍ଳାନ କୁମାର। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ‘ମିଠା ମିଠା’ ଚଳଚ୍ଚିତ୍ରରେ ଜ୍ୟୋତିଙ୍କ ନାୟିକା ସାଜିଥିବା ଶ୍ରଦ୍ଧା। ରିସ୍ତାଓ୍ବେଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଫିଲ୍ମଟିର କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ରାଜେଶ କୁମାର ମହାନ୍ତି। ହେମନ୍ତ କୁମାର ସାହୁ ଏହି ଫିଲ୍ମରୁ ନିଜର ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସହ-ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶ୍ୱିନୀ ଗଡ଼ନାୟକ। ଗୀତଗୁଡିକର କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି।

Share