ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୩୬୩ ଫୁଟ୍‌ର ସାଟର୍ଣ୍ଣ ଭି ରକେଟ୍‌କୁ ଓ୍ବାଶିଂଟନ ମନୁମେଣ୍ଟ୍‌ର ପୂର୍ବ ପାଖରେ ଏକ ବିରାଟ ସ୍କ୍ରିନରେ ପ୍ରଦର୍ଶନ କରାଯାଇଛି। ଏହାର ଶେଷ ଭାଗରେ ୧୭ ମିନିଟ୍‌ର ସ୍ବତନ୍ତ୍ର ଶୋ’ଆପୋଲୋ ଫିଫ୍ଟି ଗୋ ଫର୍‌ ଦ ମୁନ୍‌’ ରହିଛି, ଯାହା ଆପୋଲୋ -୧୧ର ଉତ୍‌କ୍ଷେପଣକୁ ସ୍ମରଣ କରାଇଦେଉଛି। ଏହି ଶୋ’ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପୂରା କାହାଣୀ ସ୍ଥାନ ପାଇଛି। ପ୍ରୋଜେକ୍ଟର ନିର୍ଦ୍ଦେଶକ ହେଉଛନ୍ତି ରିଚାର୍ଡ ସ୍ଲାନେ ଓ ମ୍ୟୁଜିକ ଦେଇଛନ୍ତି ଏମି ଆଓ୍ବାର୍ଡ। ଏହାକୁ ନ୍ୟାଶନାଲ ଏୟାର ଆଣ୍ଡ୍‌ ସ୍ପେସ୍‌ ମ୍ୟୁଜିୟମ୍‌ ଏବଂ ଦି ୟୁସ୍‌ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଟେରିୟର୍‌ ଆଣ୍ଡ୍‌ ୫୯ ପ୍ରଡକ୍‌ସନ୍‌ ଦ୍ୱାରା ପୂରା ଫ୍ରିରେ ପ୍ରଦର୍ଶନ କରାଯାଉଛି । ସିଏଟଲସ୍ଥିତ ଫ୍ଲାଇଟ୍‌ ମ୍ୟୁଜିୟମରେ ବି ’ଡେଷ୍ଟିନେସନ ମୁନ’୍‌ ଶୀର୍ଷକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆସନ୍ତା ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଏହାକୁ ପ୍ରଦର୍ଶନ କରାଯିବ। ଆପୋଲୋ ମିଶନ୍‌ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସର୍ବସାଧାରଣଙ୍କ ଲାଗି ଖୋଲାଯାଇଛି।୧୯ ଜୁଲାଇରେ ନାସାର ଫ୍ଲାଇଟ୍‌ ଡାଇରେକ୍ଟର ଜିନ୍‌ କ୍ରେଂଜ୍‌ଙ୍କ ସହ କଥା ହେବାର ସୁଯୋଗ ବି ମିଳିବ। ଚନ୍ଦ୍ରପୃଷ୍ଠରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ରଖିଥିବା ପ୍ରଥମ ପାଦର ଭିଡିଓ ପ୍ରଦର୍ଶନ କରାଯିବ। ନାସାର ପ୍ରମୁଖ ଉତ୍‌କ୍ଷେପଣ ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ଅନୁଭବ ଓ ଆପୋଲୋର ଇଞ୍ଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ ଏକ କାର୍ଯ୍ୟକ୍ରମ ବି ଏଥିରେ ସ୍ଥାନୀତ କରାଯାଇଛି। ସ୍ମିଥସନ ମ୍ୟୁଜିୟମରେ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ପୋଷାକକୁ ବି ସୁରକ୍ଷିତ ରଖାଯାଇଛି। ଫ୍ଲାଇଟ୍‌ ମ୍ୟୁଜିୟମରେ ମହାକାଶଚାରୀ ଏଡ୍‌ଓ୍ବିନ ଆଲ୍‌ଡ୍ରିନ ପିନ୍ଧିଥିବା ଗ୍ଲୋବ୍ସକୁ ରଖାଯାଇଛି।

Share