ଆଫଗାନିସ୍ତାନକୁ ଶାନ୍ତି ଫେରିବ

ଓ୍ବାଶିଂଟନ/କାବୁଲ,୧।୩ (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ତାଲିବାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତି ଶନିବାର ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଅନୁଯାୟୀ ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହୃତ ହେବେ। କାତାର ରାଜଧାନୀ ଦୋହାଠାରେ ଚୁକ୍ତି ସ୍ବାକ୍ଷର ଅବସରରେ ଆମେରିକା ଓ ଆଫଗାନିସ୍ତାନ ପକ୍ଷରୁ ମିଳିତ ଭାବେ ଏହା ଘୋଷଣା କରାଯାଇଛି। ଫଳରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଫଗାନିସ୍ତାନରେ ଲାଗିରହିଥିବା ବିବାଦର ପରିସମାପ୍ତି ହେବାକୁ ଯାଉଛି। ସେଠାରେ ଶାନ୍ତି ଫେରାଇ ଆଣିବା ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଆଫଗାନିସ୍ତାନରେ ଶାନ୍ତି ପାଇଁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜଲମେ ଖାଲିଜାଦ୍‌ ଓ ତାଲିବାନ ସହପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି।
ଆଫଗାନିସ୍ତାନରେ ଏବେ ୧୩ ହଜାର ଆମେରିକୀୟ ସୈନ୍ୟ ନିୟୋଜିତ ହୋଇ ରହିଛନ୍ତି। ଚୁକ୍ତିନାମା ଅନୁଯାୟୀ ଏହି ସଂଖ୍ୟା ୮,୬୦୦କୁ ହ୍ରାସ କରାଯିବ। ମିଶନ ପୂରଣ ଲାଗି ଏହା ଅପରିହାର୍ଯ୍ୟ ବୋଲି ଆଫଗାନିସ୍ତାନରେ ଥିବା ଆମେରିକା ଓ ନାଟୋ ସେନାର କମାଣ୍ଡର ଜେନେରାଲ ସ୍କଟ୍ସ ମିଲର ଆକଳନ କରିଥିଲେ। ଏହି ଐତିହାସିକ ଚୁକ୍ତିନାମା ସ୍ବାକ୍ଷର ବେଳେ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ସମେତ ଅନ୍ୟ ରାଷ୍ଟ୍ରର କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। କାତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପି. କୁମାରନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଫଗାନିସ୍ତାନରେ ଶାନ୍ତି ଓ ପାରସ୍ପରିକ ବୁଝାମଣାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏହି ସେନା ପ୍ରତ୍ୟାହାର ସର୍ତ୍ତଭିତ୍ତିକ। ରାଜନୈତିକ ସମାଧାନ ବିଫଳ ହେଲେ ଆମେରିକାକୁ ସେନା ପ୍ରତ୍ୟାହାର ପାଇଁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଏହାର ଜଣେ ଅଧିକାରୀ ନିଜ ନାଁ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିଓ) ଉପରେ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଆକ୍ରମଣ କରିଥିଲା। ଏଥିରେ ୨୯୯୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ହଜାରରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ତାଲିବାନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ୧୮ ବର୍ଷ ହେଲା ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଏ ବାବଦରେ ଆମେରିକା ୭୫୦ ବିଲିୟନ ଡଲାର ବ୍ୟୟ କଲାଣି। ବିଭିନ୍ନ ସମୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ହଜାର ହଜାର ଯବାନ ଓ ଆତଙ୍କବାଦୀ ନିହତ ହୋଇଛନ୍ତି। ୨୦୦୧ରୁ ଆମେରିକା ସେଠାରେ ୨୩୦୦ରୁ ଅଧିକ ସୈନ୍ୟଙ୍କୁ ହରାଇଛି।

Share