ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନକୁ ୯ ଦିନ:ତାଲିବାନ ଆକ୍ରମଣରେ ୨୦ ନିହତ

କାବୁଲ,୨୦-୯(ଆଇଏଏନ୍‌ଏସ୍‌):ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ତାଲିବାନର ଆଉ ଏକ ଆକ୍ରମଣ। ଏଥର ଜାବୁଲ ପ୍ରଦେଶର କଲାତ୍‌ ସହରସ୍ଥିତ ଏକ ହସ୍ପିଟାଲକୁ ଟାର୍ଗେଟ କରିଛି ଏହି ଆତଙ୍କବାଦୀ ସଙ୍ଗଠନ। ଗୁରୁବାର ସକାଳ ୬ଟାରେ ବିସ୍ଫୋରକ ବୋଝେଇ ଏକ ଟ୍ରକ୍‌ ଉକ୍ତ ହସ୍ପିଟାଲକୁ ଧକ୍କା ଦେଇଥିଲା। ବିସ୍ଫୋରଣରେ ହସ୍ପିଟାଲ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବାବେଳେ ୨୦ ନିହତ ଓ ୯୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହସ୍ପିଟାଲ କର୍ମଚାରୀ ଓ ରୋଗୀ। କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ସେମାନଙ୍କୁ କାନ୍ଦାହାରର ଏକ ହସ୍ପିଟାଲକୁ ନିଆଯାଇଛି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ଏହି ଆକ୍ରମଣ ପଛରେ ନିଜ ସଙ୍ଗଠନର ହାତ ଥିବା କହିଛନ୍ତି। ଆସନ୍ତା ୨୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ କିଛି ସପ୍ତାହ ଧରି ଆକ୍ରମଣ କରୁଛନ୍ତି। ପରଓ୍ବାନ ପ୍ରଦେଶରେ ମଙ୍ଗଳବାର ରାଷ୍ଟ୍ରପତି ଅଶ୍‌ରଫ୍‌ ଗନିଙ୍କ ଏକ ନିର୍ବାଚନୀ ସଭାରେ ଆତଙ୍କବାଦୀ ଆମତ୍ଘାତୀ ବିସ୍ଫୋରଣ ଘଟାଇଥିଲେ। ଏଥିରେ ୨୬ ପ୍ରାଣ ହରାଇଥିବାବେଳେ ୪୨ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

Share