ଆଫଗାନିସ୍ତାନ ଉପରେ ଭାରତର ନଜର

ନୂଆଦିଲ୍ଲୀ/ ଦୋହା, ୧।୩(ପି.ଟି.): ତାଲିବାନ୍‌ ସହ ଐତିହାସିକ ଶାନ୍ତିଚୁକ୍ତି ସ୍ବାକ୍ଷର ପରେ ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହାର ହେବା ନିଶ୍ଚିତ ହୋଇଛି। ଦୀର୍ଘ ୧୮ ବର୍ଷର ଯୁଦ୍ଧାଭିଯାନ ଶେଷକରି ଆମେରିକା ୧୪ ମାସ ମଧ୍ୟରେ ସେନା ପ୍ରତ୍ୟାହାର କରିବ ବୋଲି ଜଣାପଡ଼ିଛି। ଆଫଗାନିସ୍ତାନରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଦେବାର ଆଶଙ୍କା ରହିଛି। ଭାରତ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି। ସେଠାରେ ସୁରକ୍ଷା ଓ ଆତଙ୍କବାଦ ଦମନ କ୍ଷେତ୍ରରେ ଭାରତ ସହାୟକ ହେବ। ହେଲେ ପାକିସ୍ତାନ ଏଠାରେ ଆତଙ୍କବାଦ ଚଳାଇବାର ଆଶଙ୍କା କରାଯାଉଛି। ତାଲିବାନ୍‌ଙ୍କୁ ସମର୍ଥନ ଦେଇଆସୁଥିବା ପାକ୍‌ ସମର୍ଥତ୍ତ ଲଶ୍କର-ଇ-ତୋଇବା, ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ଏଠାରେ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପ୍ରୟାସ କରିବେ। ଅନ୍ୟପକ୍ଷରେ ଅଶ୍ରଫ ଘନିଙ୍କୁ କ୍ଷମତାରେ ନ ବସାଇ ତାଲିବାନ୍‌ ଗୋଷ୍ଠୀ ଅନ୍ୟ ସହ ହାତ ମିଳାଇବା ନିଶ୍ଚିତ। ତାଲିବାନ୍‌ ଉପନେତା ତଥା ହକାନୀ ନେଟଓ୍ବାର୍କର ମୁଖ୍ୟ ସିରାଜୁଦ୍ଦିନ ହକାନୀ ଖୋଲାଖୋଲି ଭାବେ ନୂଆ ସରକାର ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏହାକୁ ନେଇ ଆଫଗାନିସ୍ତାନରେ କ୍ଷମତା କନ୍ଦଳ ଦେଖାଦେବାର ଆଶଙ୍କା ରହିଛି। ସେନା ପ୍ରତ୍ୟାହାର ପରେ ତାଲିବାନ ଗୋଷ୍ଠୀ ପାକିସ୍ତାନର ପ୍ରରୋଚନାରେ କ୍ଷମତା ଦଖଲ ଲାଗି ଲୋକଙ୍କୁ ଆତଙ୍କିତ କରିପାରନ୍ତି। ଏସବୁ ଦୃଷ୍ଟିକୋଣରୁ ଭାରତ ଆଫଗାନିସ୍ତାନ ଉପରେ ନଜର ରଖିବ ବୋଲି କହିଛି।

Share