ଆଫଗାନ୍‌ ସେନା ଉପରେ ତାଲିବାନ ଆକ୍ରମଣ

ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ ଆମେରିକା ଶାନ୍ତିଚୁକ୍ତି କରିଥିବା ବେଳେ ଏହାକୁ ପୁଣିଥରେ ବେଖାତିର କରାଯାଇଛି। ଗତ କିଛିଦିନ ତଳେ ତାଲିବାନ୍‌ ପକ୍ଷରୁ ଆଫଗାନ୍‌ ସେନା ଉପରେ ଆକ୍ରମଣ କରାଯାଇ ୨୪ ସୈନ୍ୟଙ୍କୁ ନିପାତ କରାଯାଇଥିଲା। ଏହାକୁ ନେଇ ଆମେରିକା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯିବା ସହ ଚେତାବନୀ ମଧ୍ୟ ଦିଆଯାଇଥିଲା। ହେଲେ ପୁଣି ତାଲିବାନ୍‌ ପକ୍ଷରୁ ଏହାକୁ ବେଖାତିର କରାଯାଇ ୯୫ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ତାଲିବାନ୍‌ ପକ୍ଷରୁ କପିସା, ଲଘ୍‌ମାନ୍‌, କୁନାର୍‌, ବାଲ୍‌ଖ, ହେଲ୍‌ମଣ୍ଡ, ଫର଼୍ୟାବ୍‌,ବଡାଖଶାନ୍‌, କୁନ୍ଦୁଜ୍‌, ଓ୍ବାର୍‌ଦକ୍‌ ଏବଂ ଲେଗାର୍‌ରେ ରକେଟ୍‌, ଶେଲିଂ ଓ ବୋମାମାଡ଼ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦର୍ଶାଯାଇଛି। ପ୍ରକାଶଥାଉ କି, ଦୋହାରେ ଫେବୃୟାରୀ ୨୯ରେ ଆମେରିକା- ତାଲିବାନ୍‌ ଶାନ୍ତିଚୁକ୍ତି ହୋଇଥିଲା। ୫ ହଜାର ତାଲିବାନ୍‌ ଯୋଦ୍ଧା ଜେଲରୁ ମୁକୁଳିବା ପରେ ଆଫଗାନ୍‌ ସହ ଆଲୋଚନା କରାଯାଇଥାନ୍ତା। ହେଲେ ତାଲିବାନ୍‌ ବନ୍ଦୀଙ୍କ ମୁକ୍ତିରେ ବିଳମ୍ବ ଯୋଗୁ ଏପର୍ଯ୍ୟନ୍ତ ଆଲୋଚନା ସମ୍ଭବ ହୋଇପାରି ନାହିଁ। ତାଲିବାନ୍‌ମାନେ ପୁଣି ସେମାନଙ୍କ ରୂପ ଦେଖାଇବା ଆରମ୍ଭ କରିଛନ୍ତି।

Share