Categories: ଜାତୀୟ

ଆବଶ୍ୟକତା, ଯୋଗାଣ ଯୋଗୁ ବଢ଼ୁଛି ପିଆଜ ଦର: ପାଶ୍‌ଓ୍ବାନ

ନୂଆଦିଲ୍ଲୀ,୬।୧୧: ଦେଶରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ଏହା ସିଧା ଗ୍ରାହକଙ୍କ ଉପରେ ପ୍ରଭାବ ପକାଉଛି। ଦିଲ୍ଲୀ-ଏନ୍‌ସିଆରରେ ପିଆଜ ଦର କିଲୋପ୍ରତି ୮୦ରୁ ୧୦୦ ଟଙ୍କା ବିକ୍ରି ହେଉଥିବା ଜଣାପଡ଼ିଛି। ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଏନେଇ କେନ୍ଦ୍ର ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍‌ଓ୍ବାନ ମତ ରଖିଛନ୍ତି। ସେ କହିଛନ୍ତି, ଆବଶ୍ୟକତା ଓ ଯୋଗାଣ ଭିତରେ ସନ୍ତୁଳନ ନ ରହିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଚଳିତ ମାସର ଶେଷ ଆଡକୁ ଏହି ସମସ୍ୟା ଦୂର ହେବା ସହ ପିଆଜ ଦର ମଧ୍ୟ ନିୟନ୍ତ୍ରଣକୁ ଆସିବ ବୋଲି ପାଶ୍‌ଓ୍ବାନ କହିଛନ୍ତି। ଏଥିସହ ରାଜ୍ୟରେ ଏଭଳି ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ରାଜ୍ୟରେ ଅତ୍ୟଧିକ ବର୍ଷା ଓ ବନ୍ୟା। କାରଣ ଏହା ପିଆଜ ଆମଦାନୀ ଉପରେ ପ୍ରଭାବ ପକାଉଛି। ପିଆଜ ଯୋଗାଣରେ ଉତ୍କଟ ସଙ୍କଟ ଏବଂ ଖୁଚୁରା ବଜାରରେ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ସହ ଇରାନ, ତୁର୍କୀ, ଇଜିପ୍ଟ ଓ ଆଫଗାନିସ୍ତାନରୁ ଏହା ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ବଜାରରେ ମିଳୁଥିବା ପିଆଜ ଓ ତା’ର ମୂଲ୍ୟ ସମୀକ୍ଷା ନିମନ୍ତେ ମଙ୍ଗଳବାର ବସିଥିବା ଆନ୍ତଃ-ମନ୍ତ୍ରଣାଳୟ କମିଟି ବୈଠକରେ ସ୍ଥିର କରାଯାଇଛି।

Share